ଭୁବନେଶ୍ୱର: ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ।
ବିଶ୍ୱାସ ଅନୁଯାୟୀ, ବୃନ୍ଦାବନରେ ପ୍ରଭୁ କୃଷ୍ଣ ଏବଂ ରାଧା କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଏହି ମହଲର ଆଖ-ପାଖରେ ପ୍ରଭୁକୃଷ୍ଣ ରାଧାଙ୍କ ସହ ଗୋପିମାନେ ମଧ୍ୟ ନୃତ୍ୟ କରନ୍ତି। ଏହି ମାନ୍ୟତା ଅନୁଯାୟୀ, ବର୍ତମାନ ମଧ୍ୟ ଏହି ସ୍ଥାନ ସନ୍ଧ୍ୟା ସମୟରେ ଶୀଘ୍ର ବନ୍ଦ କରାଯାଏ। କାହାକୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି। ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ଶୃଙ୍ଗାରର ଜିନିଷ ଏବଂ ଭୋଗ ରଖି ଦିଅନ୍ତି। ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି। ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ। ଏହି ସ୍ଥାନ ସହ ଜଡ଼ିତ ଆଉ ବିଶେଷ ଏକ ମାନ୍ୟତା ଅନୁଯାୟୀ, ଏଠାରେ ଥିବା ପ୍ରତି ଗଛ ଯୋଡି ଯୋଡି ହୋଇ ରହିଛନ୍ତି। ଏହା ସହ ଗଛର ଶାଖା ମଧ୍ୟ ପରସ୍ପର ସହ ଜଡ଼ିତ ହୋଇ ରହିଛି।ଏଠାରେ ଥିବା ବୃକ୍ଷ ଗୁଡ଼ିକୁ କେହି କିଛି ମଧ୍ୟ କ୍ଷତି କରିନଥାଆନ୍ତି। ଏହାସହ ମାନ୍ୟତା ଅନୁଯାୟୀ, ଏଠାରେ ସ୍ଥିତ ବାଙ୍କେ-ବିହାରୀ ଜୀଙ୍କ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅଭିଷେକ ଏବଂ ଭୋଗ ଲଗାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।