ପୁରୀ: ଭାରତ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି। ଆଜି ସାରା ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ମାତା କି ଜୟ ଲେଖିବା ସହ ଯୁଦ୍ଧବିମାନ, ତ୍ରିରଙ୍ଗା ଆଦି ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହା ସହ ସୁଦର୍ଶନ ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ ଭାରତ ମାନଚିତ୍ରରେ ସିନ୍ଦୂରର ପ୍ରତିକୃତିକୁ ଦର୍ଶାଇଛନ୍ତି ।
ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ଛବି ତିଆରି କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ଦେଶରେ ଜନ୍ମାଷ୍ଟମୀ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଆଜି ମଧ୍ୟ ରାତ୍ରିରେ ଜନ୍ମ ଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ।