ଭୁବନେଶ୍ୱର : ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ। ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଏ। ବିଶ୍ୱ ଜନସଂଖ୍ୟା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଓ ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ।
'ବିଶ୍ୱ ଜନସଂଖ୍ୟା ଦିବସ' ପାଳନ ଅବସରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କିପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଚେଷ୍ଟା କରାଯାଇଥାଏ। ୱାର୍ଲ୍ଡମିଟର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ତେବେ ଭାରତ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବାର ମୁଖ୍ୟ କାରଣ ହେଉଛି ଭାରତରେ ଯେଉଁଭଳି ହାରରେ ଜନ୍ମହାର ବଢ଼ିଚାଲିଛି। ତେବେ ଭାରତରେ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେଲା ନିରକ୍ଷରତା ଏବଂ ଅନ୍ଧବିଶ୍ବାସ।
ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲିଙ୍ଗଗତ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ। ଏହାସହିତ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସମୟୋପଯୋଗୀ ପଦକ୍ଷେପ ନ ନେଲେ ଏହା ରାଷ୍ଟ୍ରଗୁଡ଼ିକର ବିକାଶରେ ଏକ ମୁଖ୍ୟ ପ୍ରତିବନ୍ଧକ ସାଜିବ। କାରଣ ଜନସଂଖ୍ୟା ବୃଦ୍ଧି ସହିତ ପ୍ରାକୃତିକ ସଂସାଧନ ବୃଦ୍ଧି ପାଉନାହିଁ। ଯଦି ଏଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଏ ,ତେବେ ପ୍ରାକୃତିକ ସଂସାଧନଗୁଡ଼ିକ ଉପରେ ଏହା ଗଭୀର ପ୍ରଭାବ ପଡ଼ିବ। ତେଣୁ ଜନସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେଦିଗରେ ସମସ୍ତେ ଦାୟିତ୍ବବାନ ହେବା ଆବଶ୍ୟକ।