ଉତ୍ତରାଖଣ୍ଡ: ଏଣିକି ଉତ୍ତରାଖଣ୍ଡରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଭଗବଦ୍ ଗୀତା ଓ ରାମାୟଣ ପଢିବେ। ଏନେଇ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତ ବୁଧବାର ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନ୍ସିଇଆରଟି)କୁ କହିଥିବା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଶିକ୍ଷା ବିଭାଗର ଏକ ବୈଠକ ହୋଇଥିଲା, ଯେଉଁଥିରେ ଉତ୍ତରାଖଣ୍ଡର ୧୭,୦୦୦ ସରକାରୀ ସ୍କୁଲରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମରେ ଭଗବଦ୍ ଗୀତା ଏବଂ ରାମାୟଣକୁ ସାମିଲ କରିବାକୁ ଏନ୍ସିଇଆରଟିକୁ କୁହାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତ କହିଛନ୍ତି ଯେ, ନୂତନ ପାଠ୍ୟକ୍ରମ ପ୍ରଚଳନ ନହେବା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀମାନେ ପ୍ରତିଦିନ ପ୍ରାର୍ଥନା ଅଧିବେଶନରେ ଭଗବଦ୍ ଗୀତା ଏବଂ ରାମାୟଣରୁ ଶ୍ଳୋକ ପାଠ କରିବେ। ଉକ୍ତ ଶ୍ଳୋକଗୁଡ଼ିକୁ ସ୍କୁଲରେ ଦୈନିକ ପ୍ରାର୍ଥନା ସଭାରେ ଅନ୍ତର୍ଭୁକ୍ତ କରାଯିବ।
ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଭଗବଦ୍ ଗୀତା ଏବଂ ରାମାୟଣ ବିଷୟରେ ଜ୍ଞାନ ପାଇପାରିବେ, ଯାହା ଆଗାମୀ ଭବିଷ୍ୟତରେ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେବ। ଭଗବଦ୍ ଗୀତା ଏବଂ ରାମାୟଣରୁ ଅନେକ ଶିକ୍ଷଣୀୟ କଥା ଶିଖିବାକୁ ମିଳିଥାଏ।
ଗତ ଜୁଲାଇ ୧୫ ତାରିଖରେ ଏନ୍ସିଇଆରଟି ବୀଣା ନାମକ ଏକ ନୂତନ ପାଠ୍ୟପୁସ୍ତକ ପ୍ରକାଶ କରିଥିଲା। ଯାହା ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ସହିତ ବିକଶିତ ହୋଇଛି। ଏହି ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ଭାରତର ବୈଜ୍ଞାନିକ ସଫଳତା ଏବଂ ଏହାର ସଭ୍ୟତାଗତ ଐତିହ୍ୟ ସହିତ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି।
ଏହି ପାଠ୍ୟପୁସ୍ତକର ଏକ ଅଧ୍ୟାୟ, ‘ଗଙ୍ଗା କି କାହାଣୀ’ । ଯାହା ଗୋମୁଖରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗାର ଯାତ୍ରାକୁ ଅନୁସରଣ କରିବା ଉପରେ ବର୍ଣ୍ଣନା କରାଯାଇଛି । ଉକ୍ତ ବିଷୟରେ ମଧ୍ୟ ହରିଦ୍ୱାର, ବାରାଣସୀ, ପ୍ରୟାଗରାଜ, ପାଟନା, କାନପୁର ଏବଂ କୋଲକାତା ଭଳି ସହରଗୁଡ଼ିକର ବିଶେଷ୍ୟତ୍ୱ ଉପରେ ପ୍ରକାଶ ପାଇଛି। ଏହା ଭୂଗୋଳକୁ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଅର୍ଥନୈତିକ ଅନ୍ତର୍ଦୃଷ୍ଟି ସହିତ ମିଶ୍ରଣ କରେ। ଆଶ୍ରମ, ସାଧୁ ଏବଂ କୁମ୍ଭମେଳାର କାହାଣୀକୁ ପ୍ରଦର୍ଶିତ କରାଯାଇଥାଏ।
ଉକ୍ତ ପାଠ୍ୟପୁସ୍ତକର ଅନ୍ୟ ଏକ ଅଧ୍ୟାୟ ହେଉଛି "ଏଆଇ" (କୃତ୍ରିମ ବୁଦ୍ଧିମତ୍ତା)। ଯାହା ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ସହିତ ପରିଚିତ କରାଏ। କିପରି ମେସିନଗୁଡ଼ିକ ମଣିଷ ପରି ସମସ୍ୟାର ସମାଧାନ କରନ୍ତି ତାହା ବ୍ୟାଖ୍ୟା କରାଯାଇଛି। ଏହା ମଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାକୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଗଗନଯାନ ଅଧ୍ୟାୟରେ ଭାରତର ମାନବ ମହାକାଶ ଅଭିଯାନ ଉପରେ ଆଲୋକପାତ କରାଯାଇଛି। ଇସ୍ରୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ବର୍ଣ୍ଣନା କରାଯାଇଛି। ନୈତିକ ଏବଂ ନାଗରିକ ମୂଲ୍ୟବୋଧ ମଧ୍ୟ ପ୍ରଦର୍ଶିତ ହୋଇଛି। ଉକ୍ତ ପୁସ୍ତକର ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟରେ କାଜିରଙ୍ଗା ଜାତୀୟ ଉଦ୍ୟାନ, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ପ୍ରାକୃତିକ ରଙ୍ଗ ତିଆରି ଉପରେ ମଧ୍ୟ ବର୍ଣ୍ଣନା କରାଯାଇଛି।