ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କୁ ରିଲ୍ସ କରିବା ନିଶା ପାଗଳ କରିଛି । କେହି କେହି ସ୍ଥାନ କାଳ ପାତ୍ର ଦେଖୁ ନ ଥିବାବେଳେ ଆଉ କିଏ ଭ୍ୟୁଜ୍ ବଢ଼ାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇବାକୁ ପଛାଉଛନ୍ତି । ଏମିତି ଜଣେ ଯୁବକଙ୍କ ପାଇଁ ରେଳ ଧାରଣା ଉପରେ ରିଲ୍ସ କରି ଭିଡ଼ିଓ ଭାଇରାଲ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଉତ୍ତର ପ୍ରଦେଶ ହସନଗଞ୍ଜର ମୋହଲ୍ଲା ଦୟାନନ୍ଦ ନଗରର ବାସିନ୍ଦା ଜଣେ 22 ବର୍ଷୀୟ ରଞ୍ଜିତ ଚୌରାସିଆ ନାମକ ଯୁବକଙ୍କ କରାନାମାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । ଭାଇରାଲ ହେବାକୁ ଚଳନ୍ତା ଟ୍ରେନ୍ ସମ୍ମୁଖରେ ଶୋଇ ରିଲ୍ସ ବନାଇଛନ୍ତି । ପ୍ରଥମେ ସେ କାନପୁର-ଲକ୍ଷ୍ନୌ ରେଳ ରୁଟର କୁସୁମ୍ବା ଷ୍ଟେସନ ନିକଟରେ ରେଳ ଟ୍ରାକ ମଝିରେ ହାତରେ ମୋବାଇଲ୍ କ୍ୟାମେରା ଅନ୍ କରି ଶୋଇପଡ଼ିଲେ ଏବଂ ତା ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଯାଇଥିଲା । ଏହାର ଭିଡ଼ିଓ ବେଶ୍ ଭାଇରାଲ ହୋଇଥିଲା । ଜିଆରପି ପୋଲିସ ଉକ୍ତ ଭିଡ଼ିଓଟିକୁ ଦେଖିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।
ଜିଆରପି ଏସଓ ଅରବିନ୍ଦ ପାଣ୍ଡେ କହିଛନ୍ତି ଯେ ରଞ୍ଜିତ ସୋହରାମାଉରେ ଅବସ୍ଥିତ ଏକ ଅନଲାଇନ୍ ସପିଂ କମ୍ପାନୀର ଗୋଦାମରେ କାମ କରନ୍ତି । ଏହା ବ୍ୟତୀତ ସେ ଜଣେ YouTuber ମଧ୍ୟ । ଏପ୍ରିଲ ୩ ତାରିଖରେ ସେ ଆଜଗାଇନର କୁସୁମ୍ଭୀରେ ମେଳା ଦେଖିବାକୁ ଯାଇଥିଲେ । ଏହି ସମୟରେ ଉକ୍ତ ଭିଡ଼ିଓଟି ବନେଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲା ।
ଏହି ଭିଡିଓଟି ଜିଆରପି ଥାନା ଦେଖିବା ପରେ, ତଦନ୍ତ କରାଯାଇଥିଲା ଏବଂ ରବିବାର ରାତିରେ ରଞ୍ଜିତଙ୍କୁ ତାଙ୍କ ଘରୁ ଗିରଫ କରାଯାଇ ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ପଚରାଉଚରା ସମୟରେ ସେ ଭିଡିଓ ତିଆରି କରିଥିବା ସ୍ୱୀକାର କରିଛି। ପୋଲିସ ତାଙ୍କ ମୋବାଇଲକୁ ଜବତ କରି ଫରେନସିକ୍ ଲ୍ୟାବକୁ ପଠାଇଦେଇଛି । ରଞ୍ଜିତ ବିରୋଧରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟପକ୍ଷରେ ରଞ୍ଜିତଙ୍କ ବାପା ସୁକୁରୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୁଅ ପ୍ରାୟ ତିନି ବର୍ଷ ଧରି ଇନଷ୍ଟାଗ୍ରାମରେ ଭିଡିଓ ତିଆରି କରୁଛି ଏବଂ ସେଗୁଡ଼ିକୁ ଏଡିଟ୍ କରିବା ପରେ, ସେ ସେଗୁଡ଼ିକୁ ତାଙ୍କ ଆକାଉଣ୍ଟରେ ଅପଲୋଡ୍ କରୁଛି । ରେଳ ଲାଇନର ଭିଡିଓ ମଧ୍ୟ ଏଡିଟ୍ କରାହୋଇଛି ବୋଲି ସେ ଦାବି କରିଛନ୍ତି ।
ରଞ୍ଜିତ ଇନଷ୍ଟାଗ୍ରାମ ଆଇଡିରେ ୧୦୦୮ଟି ଭିଡିଓ ଅଛି। ତାଙ୍କର ୫୦ ହଜାର ଫଲୋର୍ସ ଅଛନ୍ତି । ଚାରି ଭାଇଙ୍କ ମଧ୍ୟରେ ରଞ୍ଜିତ ସବୁଠାରୁ ବଡ଼ । ସେ ଭିଡିଓ ତିଆରି କରିବା ସହିତ, ସେ କମ୍ପାନୀରେ କାମ କରି ପରିବାର ଚଳାନ୍ତି । ବାପାଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସେ ଶଯ୍ୟାଶାୟୀ ଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ୱାରା କୁହାଯାଇଥିଲା କି ଯିଏ ରେଳ ଧାରଣା ଉପରେ ବିପଦଜନକ ଭାବେ ଭିଡ଼ିଓ କିମ୍ବା ଫଟୋ ଉଠାଇବେ ତେବେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯିବ ।