ନୂଆଦିଲ୍ଲୀ: ଚଳିତବର୍ଷ ରେକର୍ଡ କରୁଛି ତାତି । ଏପ୍ରିଲ ଆରମ୍ଭରୁ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଦେଶର ଅନେକ ସ୍ଥାନରେ ରେକର୍ଡ ଭାଙ୍ଗିଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ତାତି ଅନୁଭୂତ ହେଉଛି । ଦିଲ୍ଲୀ ବ୍ୟତୀତ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଓଡ଼ିଶା ଭଳି ରାଜ୍ୟରେ ତାପାମାତ୍ରା ୪୨ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ତେବେ ଆଗାମୀ ଦିନରେ ଆହୁରି ଅଧିକ ଗ୍ରୀଷ୍ମ ପ୍ରଭାବ ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ରାଜଧାନୀ ଦିଲ୍ଲୀ ସମତେ ୫ଟି ରାଜ୍ୟର ୨୧ ସହରର ତାପାମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଛି । ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ଦିଲ୍ଲୀବାସୀ ଗରମ ତାହ୍ରୀ ପାଇବେ ନାହିଁ । ତେବେ ପବନର ବେଗ ହ୍ରାସ ହେତୁ ଉତ୍ତାପର ପ୍ରଭାବ ଅଧିକ ଅନୁଭୂତ ହେଉଛି ।
ଗତକାଲି (ରବିବାର) ରାଜସ୍ଥାନର ବାରମେରରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଏପ୍ରିଲ ପ୍ରଥମ ସପ୍ତାହରେ ଏପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା। ଏହା ସ୍ବାଭାବିକ ତୁଳନାରେ ୬.୮ ଡିଗ୍ରୀ ଅଧିକ।
ପାଣିପାଗ ବିଭାଗ ୬ରୁ ୧୦ ଏପ୍ରିଲ ପର୍ଯ୍ୟନ୍ତ ଗୁଜୁରାଟର କିଛି ଅଞ୍ଚଳରେ ଗରମ ଲହରୀ ଆଶଙ୍କା ନେଇ ସତର୍କ କରିଛି। ବିଶେଷକରି ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ଏହା ବ୍ୟତୀତ ହିମାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ମଧ୍ୟ ପ୍ରଦେଶ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ମଧ୍ୟ ଗରମ ଲହରୀ ଅନୁମାନ କରାଯାଉଛି। ସେହି ପୂର୍ବ ଭାରତୀୟ ରାଜ୍ୟ ଯେପରିକି ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶାରେ ୧୦ ଏପ୍ରିଲ ଓ ୧୧ ଏପ୍ରିଲ ଗରମ ଲହରୀ (ଲୁ) ନେଇ ସତକର୍ତା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମଉତ୍ତାପ ପାଇଁ ଲୋକମାନେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ଭରପୁର ମାତ୍ରାରେ ପାଣି ପିଇବା ସହ ଶିଶୁଙ୍କ ବୃଦ୍ଧଙ୍କୁ ଅଧିକ ସଚେତନ ରଖିବାକୁ କୁହାଯାଇଛି ।