ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ପଷ୍ଟ କରିଛନ୍ତି ଯେ, ସେ ସେହି ବଙ୍ଗଳାରେ ରହିବେ ନାହିଁ ଯେଉଁଠି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରହୁଥିଲେ । ଏହି ବଙ୍ଗଳାରେ ବିଳାସ ବ୍ୟସନ ପାଇଁ କେଜରିୱାଲ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରି ଆସିଛି । ଦଳ ଏହାକୁ ଶିଶମହଲର ଆଖ୍ୟା ଦେଇ ଆସିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶମହଲର ବ୍ୟବହାର ଜନତାଙ୍କ ହିତ ପାଇଁ କରାଯିବ । ଏଥିପାଇଁ ସେ ୩ ବିକଳ୍ପ ଦେବା ସହ ଏହାକୁ ନିଲାମ ମଧ୍ୟ କରାଯାଇପାରେ ବୋଲି କହିଛନ୍ତି ।
ନ୍ୟୁଜ ୨୪ ସହ ଏକ ସାକ୍ଷାତକାରରେ ରେଖା ଗୁପ୍ତା କହିଛନ୍ତି, ଶିଶମହଲଙ୍କୁ ନିଶ୍ଚିତ ଭାବେ ଜନତାଙ୍କ ହିତରେ ବ୍ୟବହାର କରାଯିବ । ଜନତା ଅନେକ ବିକଳ୍ପ ଦେଉଛନ୍ତି । ଏହାକୁ ରାଜ୍ୟ ଅତିଥି ଭବନ କରାଯାଉ ବୋଲି ମଧ୍ୟ ପ୍ରସ୍ତାବ ଆସୁଛି । କାରଣ ଦିଲ୍ଲୀର ନିଜର କୌଣସି ଅତିଥି ଭବନ ନାହିଁ । ଆଉ ଗୋଟିଏ ବିକଳ୍ପ ଏହାର ନିଲାମ କରାଯାଉ ଏବଂ ଯେଉଁ ଅର୍ଥ ଆସିବ ତାକୁ ରାଜକୋଷରେ ଜମା କରାଯାଉ । ଆଉ ଏକ ବିକଳ୍ପ ଏହାକୁ ଜନତା ପାଇଁ ଖୋଲି ଦିଆଯାଉ, ଜନତା ଆସନ୍ତୁ ଏବଂ ଦେଖନ୍ତୁ । କିଛି ବି ସମ୍ଭବ ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ସେ ଆଦୌ ଶିଶମହଲରେ ରହିବେ ନାହିଁ । କାରଣ ଏହା ରୋହିବା ଯୋଗ୍ୟ ନୁହେଁ । ମୋ ଆତ୍ମା କଦାପି ସେଠାରେ ରହିବାକୁ କହୁନାହିଁ । ଜନତାଙ୍କଠୁ ଲୁଟା ଯାଇଥିବା ଅର୍ଥରେ ଏହି ଶିଶମହଲ ନିର୍ମାଣ କରାଯାଇଛି । ଏମିତି ଘରେ ରହିବା ସମ୍ଭବ ନୁହେଁ । ସେ ଏବେ ନିଜ ପୁରୁଣା ଘରେ ରହୁଛନ୍ତି । ସେଠାରୁ ନିଜର ଅଫିସ ଚଳାଉଛନ୍ତି । ଛୋଟ ହେଲେ ବି ଲୋକଙ୍କ ଆଗମନ ବଢିବାରେ ଲାଗିଛି ।