ନୂଆଦିଲ୍ଲୀ: ୱାକଫ ସଂଶୋଧନ ବିଧେୟକର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ଯାଚିକା ଦାଖଲ ହୋଇଛି । ଏହି ସବୁ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଅଭିଷେକ ମନୁ ସିଙ୍ଘଭି । ଏହା ଉପରେ ସୋମବାର ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ପୀଠ କହିଛନ୍ତି, ଅଦାଲତରେ କେସଗୁଡିକର ଲିଷ୍ଟିଂ ନେଇ ମଜବୁତ ବ୍ୟବସ୍ଥା ରହିଛି । ଏହିପରି ମୌଖିକ ଭାବେ କୁହାଯାଇ ପାରିବ ନାହିଁ ଯେ, ମାମଲା ଉପରେ ତତ୍କାଳ ଶୁଣାଣି କରନ୍ତୁ ।
ପ୍ରଧାନ ବିଚାରପତି କହିଛନ୍ତି ଯଦି ଆପଣଙ୍କୁ କୌଣସି ଜରୁରୀକାଳୀନ ଲିଷ୍ଟିଂ କରିବାର ଅଛି ତେବେ ଏଥିପାଇଁ ପତ୍ର ଲେଖନ୍ତୁ ଏବଂ ମୋ ସମ୍ମୁଖକୁ ଆସନ୍ତୁ । ଏହା ଉପରେ କପିଲ ସିବଲ କହିଛନ୍ତି, ଏମିତି ପତ୍ର ପୂର୍ବରୁ ଲେଖି ଜମା କରାଯାଇଛି । ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି, ଠିକ୍ ଅଛି, ଯେବେ ମୋ ପାଖକୁ ପତ୍ର ନେଇକି ଆସିବେ ମୁଁ ନିଶ୍ଚୟ ପଦକ୍ଷେପ ନେବି ।
କପିଲ ସିବଲଙ୍କ କହିବା କଥା ଅଦାଲତ ତୁରନ୍ତ ସେହି ଆବେଦନର ଶୁଣାଣି କରନ୍ତୁ, ଯାହାକୁ ଜମିୟତ ଉଲେମା ଏ ହିନ୍ଦର ମୁଖ୍ୟ ମୌଲାନା ଅରଶଦ ମଦନୀ ଦାଖଲ କରିଛନ୍ତି । ଏମିତି ଦାବି ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ମଧ୍ୟ ଦୋହରାଇଛନ୍ତି । ଦୁଇ ଆଇନଜୀବୀଙ୍କ ମତରେ ୱାକଫ ବିଲ୍ ଅସାମ୍ବିଧାନିକ ଏବଂ କୋର୍ଟ ଏହାକୁ ଖାରଜ କରି ଦେବା ଉଚିତ୍ ।
ୱାକଫ ବିଲ୍ ବିରୋଧରେ ଦାଖଲ ଆବେଦନରେ ଆକ୍ଟକୁ ହିଁ ଚ୍ୟାଲେଞ୍ଜ କରାଯାଇଛି । ଏହି ଆକ୍ଟରେ ୱାକଫ ବୋର୍ଡର ପରିଚାଳନା, ରେଗୁଲେସନର ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ଏହାରି ଆଧାରରେ ଏବେ ଆଦିବାସୀ ଅଞ୍ଚଳରେ କୌଣସି ବି ସଂପତ୍ତିକୁ ୱାକଫ ଘୋଷିତ କରାଯାଇ ପାରିବ ନାହିଁ । ଏହା ବ୍ୟତୀତ କୌଣସି ମାମଲାରେ ୱାକଫ ଟ୍ରାଇବ୍ୟୁନାଲ ବ୍ୟତୀତ ସ୍ଥାନୀୟ ଅଦାଲତଠୁ ନେଇ ଉଚ୍ଚ ଅଦାଲତ ପର୍ଯ୍ୟନ୍ତ କେସ୍ ଦାଖଲ ହୋଇ ପାରିବ । ମୋଦୀ ସରକାରଙ୍କ ମତରେ ନୂଆ ବିଧେୟକରେ ୱାକଫ ବୋର୍ଡର ସଞ୍ଚାଳନ ଆହୁରି ସୁବ୍ୟବସ୍ଥିତ ହୋଇ ପାରିବ ଏବଂ ବ୍ୟବସ୍ଥାରେ ସୁଧାର ଆସିବ ।