ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥ ଜୀବନ ଉପରେ ଦେଶବାସୀଙ୍କୁ ଅନେକ ଗୁଡ଼ିଏ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ‘ସ୍ୱାସ୍ଥ୍ୟ ହେଉଛି, ସବୁଠୁ ବଡ଼ ଭାଗ୍ୟ ଓ ଧନ’ । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ସରକାର ପ୍ରତିବଦ୍ଧ । ସରକାର ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବେ ଏବଂ ଲୋକଙ୍କ କଲ୍ୟାଣରେ ବିନିଯୋଗ କରିବେ ।
ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ, ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବା । ଆମ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବେ ଏବଂ ଲୋକଙ୍କ କଲ୍ୟାଣର ବିଭିନ୍ନ ଦିଗରେ ବିନିଯୋଗ କରିବେ । ଉତ୍ତମ ସ୍ୱାସ୍ଥ୍ୟ ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ଅଟେ । ଏନେଇ ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମେଦବହୁଲତା (ମୋଟାପଣ)କୁ ଚିନ୍ତାପ୍ରକଟ କରିଛନ୍ତି । ରିପୋର୍ଟ ମୁତାବିକ, ୨୦୫୦ ସୁଦ୍ଧା ୪୪ କୋଟିରୁ ଅଧିକ ଭାରତୀୟ ମେଦବହୁଳତାର ଶିକାର ହେବେ । ଏନେଇ ମୋଦୀ ଆରଗ୍ୟମ୍ ପରମ ଭାଗ୍ୟମ୍ ଅର୍ଥାତ୍ ସ୍ୱାସ୍ଥ୍ୟ ହିଁ ପରମ ସୌଭାଗ୍ୟ ବା ସମ୍ପତି ବୋଲି ସେ କହିଛନ୍ତି । ତେଣୁ ମୋଟାପଣ କମାଇବା ପାଇଁ ଖାଇବା ତେଲର ପରିମାଣକୁ ୧୦ ପ୍ରତିଶତ ହ୍ରାସ କରିବାକୁ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭିଡ଼ିଓରେ କହିଛନ୍ତି, ଆଜିକାଲି ଆମର ଜୀବନଶୈଳୀ ଆମ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ପାଲଟିଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ୪୪ କୋଟିରୁ ଅଧିକ ଭାରତୀୟ ମୋଟାପଣର ଶିକାର ହେବେ। ଏହା ଚିନ୍ତାର ବିଷୟ, ଏହା ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ। ତେଣୁ ଲୋକମାନଙ୍କୁ ସେମାନଙ୍କ ଦୈନନ୍ଦୀୟ ଜୀବନରେ ନିୟମିତ ଭାବେ ଶାରୀରିକ କାର୍ଯ୍ୟକଳାପ ବା ଯୋଗ ବ୍ୟାୟାମ ଆଦି କରିବାକୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ।