ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବୃଦ୍ଧିର ବଡ ପ୍ରଭାବ ଭାରତ ଉପରେ ମଧ୍ୟ ପଡିବାକୁ ଯାଉଛି । ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭର ଅନୁମାନ ଅନୁସାରେ ଭାରତର ସେହି ସେକ୍ଟର ବହୁତ ପ୍ରଭାବିତ ଯାହା ରପ୍ତାନୀ ଉପରେ ନିର୍ଭରଶୀଳ । ଏହି ସେକ୍ଟରରେ ଏବେ ୭.୬ ବିଲିୟନ ଡଲାରର ବଡ ହ୍ରାସ ଦେଖିବାକୁ ମିଳିଛି । ରପ୍ତାନୀରେ ଏତେ ମାତ୍ରାରେ ହ୍ରାସ ଭାରତର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ । ତେଣୁ ଏମିତି ସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ଟାରିଫକୁ ନେଇ ଆଲୋଚନା ବହୁତ ଜରୁରୀ ହୋଇ ପଡିଛି ।
ଇିଶେଷଜ୍ଞଙ୍କ ମତରେ ଭାରତର କିଛି ସେକ୍ଟରକୁ ଟାରିଫ ୱାରରୁ ସୀମିତ ଲାଭ ମିଳିବ । କିନ୍ତୁ ମୋଟାମୋଟି ଭାରତର ଅର୍ଥ ବ୍ୟବସ୍ଥା ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବ । ନୂଆ ଟ୍ୟାକ୍ସ ନିୟମ କାରଣରୁ ଅଧିକାଂଶ ଉତ୍ପାଦର ରପ୍ତାନୀ ହ୍ରାସ ପାଇବ ଓ ଅର୍ଥବ୍ୟବସ୍ଥାରେ ବହୁତ ବଡ କ୍ଷତି ଘଟିବ ।
ଏପ୍ରିଲ ୯ରୁ ଭାରତୀୟ ଉତ୍ପାଦ ଉପରେ ଟ୍ରମ୍ପ ପ୍ରଶାସନର ୨୬ ପ୍ରତିଶତ ଟାରିଫ ଲାଗୁ ହେବ । ଫାର୍ମାସ୍ୟୁଟିକଲ୍ସ, ସେମିକଣ୍ଡକ୍ଟର୍ସ ଓ କିଛି ଉର୍ଜା ଉତ୍ପାଦକୁ ଛାଡି ବାକି ସବୁ ଉତ୍ପାଦ ଉପରେ ନୂଆ ଟାରିଫ ନିଷ୍ପତ୍ତି ଲାଗୁ ହେବ । ଭାରତ ଆମେରିକାକୁ ୨୦୨୪ରେ ୮୯.୮୧ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା । ଆଉ ଏଥିରୁ ଟିକେ ବି ହ୍ରାସ ଭାରତର ଅର୍ଥ୍ୟବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ । କାରଣ ଭାରତରୁ ହେଉଥିବା ରପ୍ତାନୀରେ ଆମେରିକାର ବଡ ଭାଗ ରହିଛି । ଏଥିରେ ଭାରତକୁ ଭଲ ଅର୍ଥ ମିଳିଥାଏ ।
ମାଛ ଏବଂ ଅନ୍ୟ ଜଳଚର ପ୍ରାଣୀର ରପ୍ତାନୀରେ ୨୦ ପ୍ରତିଶତ ହ୍ରାସ ଘଟିପାରେ । ଏହା ବାଦ୍ ଲୌହ ଏବଂ ଷ୍ଟିଲ ରପ୍ତାନୀରେ ୧୮ ପ୍ରତିଶତ ହ୍ରାସ ହେବାର ଆଶଙ୍କା ରହିଛି । ଗୋଲ୍ଡ ଜୁଏଲରୀ ଓ ଡାଏମଣ୍ଡ ରପ୍ତାନୀରେ ମଧ୍ୟ ୧୫.୩ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି । ଏହା ଏମିତି କାରବାର, ଯିଏ ଲକ୍ଷାଧିକ ଲୋକଙ୍କୁ ଉଚ୍ଚ ଆୟ ପ୍ରଦାନ କରିଥାଏ । ଏମିତିରେ ରପ୍ତାନୀରେ ହ୍ରାସ ହେଲେ ସିଧାସଳଖ ଲକ୍ଷାଧିକ ଲୋକଙ୍କ ରୋଜଗାର ଉପରେ ପଡିପାରେ । ଏଥିରେ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ । ଏଥିପାଇଁ ଭାରତୀୟ ବ୍ୟବସାୟୀ ଲଗାତାର ସରକାରଙ୍କୁ ଅପିଲ୍ କରୁଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରାଯାଉ, ଯଦ୍ୱାରା ଟାରିଫ ଉପରେ କିଛିଟା କୋହଳ ମିଳିବ ।