ଭୁବନେଶ୍ଵର: ରାଜ୍ୟସଭାରେ ୱକଫ୍ ବିଲ୍ ସମର୍ଥନରେ ବିଜେଡ଼ିର ଦ୍ୱିମତକୁ ନେଇ ଦଳରେ ଏବେ ବିଦ୍ରୋହର ନିଆଁ ଜଳୁଛି । ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସଭାପତି ନବୀନ ପଟ୍ଟନାୟକଙ୍କ ମୁହଁରୁ ଗୋଟିଏ ଶବ୍ଦ ବାହାରୁ ନାହିଁ । ଯାହାକୁ ନେଇ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷୀରେ ନବୀନଙ୍କ ସ୍ପଷ୍ଟି କରଣ ମାଗିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼େଇ ।
ପ୍ରଫୁଲ୍ଲ ଘଡ଼େଇ ବିଜେଡ଼ିର ଦୋମୁହାଁ ନୀତିକୁ ନେଇ ସିଧାସଳଖ ଦଳର ମୁଖିଆଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭାର ସାଂସଦମାନଙ୍କୁ ନେଇ ବସିଥିବା ଦଳର ବୈଠକ ଓ ଇଫତାର ପାର୍ଟିରେ ବସିଥିଲା ୱକଫ୍ ବିଲ୍ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବର୍ତ୍ତମାନ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ପ୍ରକୃଥ ଘଟଣା କଣ ହୋଇଛି, ଏହାର ଉତ୍ତର ଦେଇପାରିବେ ଦଳର ସଭାପତି ନବୀନ ବାବୁ । ବିଲ୍ ସମର୍ଥନରେ ବିଜେଡିର ନିଷ୍ପତ୍ତି କାହିଁକି ବଦଳିଲା, ଏନେଇ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ । ଆକାଶରେ ଯେଉଁ ବାଦଲ ସୃଷ୍ଟି ହୋଇଛି ଏହାକୁ କେବେଳ ନବୀନ ହିଁ ଦୂର କରିପାରିବେ । ଅଧିକ ଦ୍ଵନ୍ଦ୍ଵ ନ ବଢ଼ାଇ ସ୍ପଷ୍ଟୀକରଣ ଦିଅନ୍ତୁ । ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି । ଯିଏ (ସସ୍ମିତ ପାତ୍ର) ରାଜ୍ୟ ସଭାରେ ବିଲ୍ ସପକ୍ଷରେ ଭୋଟ୍ ଦେଲେ ସିଏ ସଂସଦରେ ବିଜେଡ଼ିର ମୁଖ୍ୟ । ସେ କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ । ଏଣୁ ନବୀନ ଦଳ ଲୋକଙ୍କୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ । କେଉଁ ପରିପ୍ରେକ୍ଷୀରେ ନିଷ୍ପତ୍ତି ବଦଳିଲା ବିଜେଡିକୁ ନେଇ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇଛି । ବିଜେଡିରେ ବିଭ୍ରାନ୍ତ ସୃଷ୍ଟି ହୋଇଛି । ନବୀନ ଏ ବିଷୟରେ ଯଥା ଶୀଘ୍ର ସ୍ପଷ୍ଟୀକରଣ ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଫୁଲ୍ଲ ଘଡ଼େଇ ।
ଏହା ପୂର୍ବରୁ ମଧ୍ୟ ଦଳର ଅନେକ ବରିଷ୍ଠ ନେତା ଯଥା ବଦ୍ରି ନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ ଆଚାର୍ଯ୍ୟ ଓ ଗଣେଶ୍ୱର ବେହେରା ମନ୍ତବ୍ୟ ଦେଇସାରିଛନ୍ତି ଏବଂ ମୁଖିଆଙ୍କ ଠାରୁ ସ୍ପଷ୍ଟୀ କରଣ ମାଗିଥିଲେ । ଏଥିରେ ଭିକେ ପାଣ୍ଡିଆନଙ୍କ ସମ୍ପୃକ୍ତି ଥିବା ବରିଷ୍ଠ ନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି ।