ଭୁବନେଶ୍ୱର: ୱାକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ଏବଂ ଟୁଇଟ୍ ପର ଠାରୁ ରାଜ୍ୟ ରାଜନୀତି ଜୋର ଧରିଛି। ଏପରିକି ବିଜେଡ଼ି ଏବେ ଦୁଇଫାଳ ହୋଇଯାଇଥିବା ମନେ ହେଉଛି। ପୂର୍ବରୁ ସବୁକିଛି ସ୍ଥିର ସରିଥିବା ବେଳେ ହଠାତ୍ କାହା ଭିତିରିଆ ନିର୍ଦ୍ଦେଶରେ ଦଳର ଆଭିମୁଖ୍ୟ ବଦଳିଗଲା, ସେନେଇ ବିଜେଡ଼ି ଭିତରେ ଏବେ ଚାଲିଛି ଟଣାଓଟରା ।
ଆଜି (ସୋମବାର) ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ରାଜ୍ୟସଭା ସାଂସଦ ମୁନା ଖାଁ ନିଜ ସମର୍ଥକଙ୍କ ସହ ଯାଇ ସିଧା ନବୀସ ନିବାସରେ ପହଞ୍ଚିଥିଲେ। ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ୍ ନେଇ ନବୀନଙ୍କ ପାଖରେ ଫେରାଦ ହୋଇଥିଲେ ମୁନା ଖାଁ । ଏହି ସମୟରେ ତାଙ୍କ ସମର୍ଥନ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ଏବଂ ‘ପାଣ୍ଡିଆନଙ୍କୁ ତଡ଼ି ବିଜେଡ଼ି ବଞ୍ଚାଓ’ର ନାରା ଦେଇଥିଲେ। କାରଣ ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ କାଳେ ସସ୍ମିତ ବିଲ୍ ସପକ୍ଷରେ ଭୋଟ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଦଳୀୟ କର୍ମକର୍ତ୍ତା । ଏପରିକି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଦାବି ଉଠିଛି। ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ କୁଆଡେ ପ୍ରଚ୍ଛଦପଟରେ ରହି ଏସବୁ କରାଇଛନ୍ତି। ଏହାରି ଭିତରେ ପାଣ୍ଡିଆନଙ୍କ ନାଁ ଖୋଲାଖୋଲି ଭାବେ ତାଙ୍କୁ ସିଧାସଳଖ ଦାୟୀ କରିଛନ୍ତି ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ।
ଅପରପକ୍ଷେ, ବିବାଦରେ ପାଣ୍ଡିଆନ ନାଁ ଉଠିବା ମାତ୍ରେ ତାଙ୍କ ସପକ୍ଷରେ ବାହାରି ପଡିଛନ୍ତି ଦଳର ଅନ୍ୟ ୪ ସାଂସଦ । ଦେବାଶିଷଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିଛନ୍ତି । ଏପରିକି ପାଣ୍ଡିଆନଙ୍କୁ ଅଯଥା ବଦନାମ୍ କରାଯାଉଥିବା ନେଇ ସୋସିଆଲ ମିଡ଼ିଆରେ ନିଜର ମତ ରଖିବା ସହ ଦେବାଶିଷ ସାମନ୍ତରାୟଙ୍କୁ କାଉଣ୍ଟର କରିଛନ୍ତି।
ପାଣ୍ଡିଆନଙ୍କୁ ସମର୍ଥନ ଜଣାଇଥିବା ବିଜେଡ଼ିର ୪ ସାଂସଦ ହେଲେ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଏବଂ ଶୁଭାଶିଷ ଖୁଣ୍ଟିଆ। ଏପରିକି କଟକ ମେୟର ସୁବାଷ ସିଂ ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ବାହରିଛନ୍ତି।
ସାଂସଦ ସୁଲତା ଦେଓ ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରି କହିଛନ୍ତି, ‘ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ପୂର୍ବରୁ ଶତ୍ରୁତା ରହିଥିଲା । ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ସେ ନିବୃତ୍ତ ରୁହନ୍ତୁ ବୋଲି ସୁଲତା କହିଛନ୍ତି । ଏବଂ ଆଉ ଏକ ଟୁଇଟରେ ସେ କହିଛନ୍ତି, ‘ପୁଲବାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ। ଯାହା ଫଳରେ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା।‘ ଏହି ରାଗରେ ସେ ଏଭଳି କହୁଛନ୍ତି ସୁଲତା ପୋଷ୍ଟ କରିଛନ୍ତି।
ସେହିପରି ସାଂସଦ ନିରଞ୍ଜନ ବିଶିଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି । ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଛନ୍ତି ବୋଲି ସେ ପୋଷ୍ଟ କରିଛନ୍ତି ।
ସମାନ କଥା ମାନସ ମଙ୍ଗରାଜ ମଧ୍ୟ ଦୋହରାଇଛନ୍ତି । ଭି.କେ ପାଣ୍ଡିଆନ ୧୦ ମାସ ହେଲା ରାଜନୀତିରୁ ସନ୍ନ୍ୟାସ ନେଇଥିବା ସତ୍ତ୍ବେ ଦେବାଶିଷ ସାମାନ୍ତରାୟ ୱାକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମଙ୍ଗରାଜ ।
ସେହିପରି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପାଣ୍ଡିଆନ ରାଜନୀତିରେ ନାହାନ୍ତି ତାଙ୍କ ବିଷୟରେ କାହିଁକି କୁହାଯାଉଛି । ଦଳର ନେତା କହିଥିଲେ ବିବେକ ଅନୁସାରେ ଭୋଟ ଦେବାକୁ । ମୁନା ଖାନ୍ ମୁସଲିମ୍ କମ୍ୟୁନିଟି, ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟିକୁ ପ୍ରତିନିଧିତ୍ବ କରୁଛନ୍ତି । ତାଙ୍କ ଅନୁସାରେ ସେ ଭୋଟ ଦେଲେ, ୟାଙ୍କ ଅନୁସାରେ ଇଏ ଭୋଟ୍ ଦେଲେ ବୋଲି ଶୁଭାଶିଷ କହିଛନ୍ତି ।
ବିଜେଡ଼ିର ଘରୋଇ କଳି ଦେଖିଲେ ମନେ ହେଉଛି, ଦଳ ଏବେ ଦୁଇ ଫାଳ ହୋଇଛି। ଏବେ ଦେଖିବାକୁ ବାକି ରହିଛି, ଆଗକୁ ରାଜନୀତି ପାଣିପାଗ କୁଆଡେ ଯାଉଛି।