ଭୁୁବନେଶ୍ୱର: ୱାକଫ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ଏମିତି ସ୍ଥିତିରୁ ଦଳ କେମିତି ମୁକୁଳିବ ସେ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯଥା ଶୀଘ୍ର ପଦକ୍ଷେପ ନେବାକୁ ଆହ୍ୱାନ କରି ସାରିଛନ୍ତି ଅନେକ ନେତା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ନବୀନ ନିବାସରେ ପହଞ୍ଚିଛନ୍ତି ଦଳର ବହୁ ବରିଷ୍ଠ ନେତା ।
ଅନନ୍ଦ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ନବୀନ ନିବାସରେ ଉପସ୍ଥିତ ଅଛନ୍ତି । ବୈଠକରେ ନବୀନ ପଟ୍ଟନାୟକ ନେତାଙ୍କ ସହ ଆଲୋଚନା କରି କାହିଁକି ଏବଂ କେଉଁ ପରିସ୍ଥିତିରେ ୱାକଫ ବିଲକୁ ନେଇ ଦଳର ନିଷ୍ପତ୍ତି ବଦଳିଲା ତା ଉପରୁ ପରା ହଟାଇବେ ବୋଲି ଆଶା କରାଯାଉଛି ।
ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା କଡା ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣା ଉପରେ ଖୁବଶୀଘ୍ର ଯବନିକା ପଡିବା ଉଚିତ୍ । ସାଂସଦ ମୁନା ଖାନ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି । ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଳ ସୁପ୍ରିମୋ କହିଛନ୍ତି । ଅପେକ୍ଷା ନ କରି ପରସ୍ପର ବିରୋଧରେ କହିବା ଉପରେ ଯବନିକା ପଡୁ । ଅଧିକ ସମୟ ଗଡିଲେ ଏହା ଦଳ ପାଇଁ ଠିକ୍ ହେବନି ।
ରାଜ୍ୟସଭାରେ ୱାକଫ ବିଲ୍କୁ ବିଜେଡି ସାଂସଦ ମୁନା ଖାଁ ବିରୋଧ କରିଥିବା ବେଳେ ଠିକ୍ ଭୋଟିଂ ପୂର୍ବରୁ ସସ୍ମିତ ପାତ୍ର ବିବେକ ଅନୁସାରେ ଭୋଟ୍ ଦେବାକୁ କହି ଟୁଇଟ୍ କରିଥିଲେ । ଏହାକୁ ନେଇ ବଦଳରେ ବିବାଦ ସୃଷ୍ଟି ହେବା ସହ ତାହା ଉଗ୍ର ରୂପ ନେଇଛି । ଦଳର ନିଷ୍ପତ୍ତି ବଦଳିବା ପଛରେ ଭିକେ ପାଣ୍ଡିଆନଙ୍କ ହାତ ଥିବା ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ଦେଇଛନ୍ତି । ଏହାପରେ ବିଜେଡି ଦୁଇ ଭାଗ ହୋଇଛି । ଗୋଟିଏ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଭିକେ ପାଣ୍ଡିଆନଙ୍କୁ ସମର୍ଥନ କରି ଆଗକୁ ଆସିଛନ୍ତି ।