ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧୭(ଗୁରୁବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୂର୍ତ୍ତମନ୍ତ୍ରୀଙ୍କ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା ।
ଆସନ୍ତାକାଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଗସ୍ତରେ ବରମୁଣ୍ଡା ଗ୍ରାଉଣ୍ଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ୪ ହଜାର କୋଟିର ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ । ଏହା ସହ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟିର ଶିଳାନ୍ୟାସ କରିବେ । ୪୨୭ କୋଟିରେ ୪ଟି ସିଆରଆଇଏଫ୍ ବ୍ରିଜ୍ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷ ଓଡ଼ିଶା ସରକାର ୨୮ ହଜାର କୋଟିର ଅନୁଦାନ ଦାବି କରିଥିବା ବେଳେ ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି । ରୋଡ ସଂଯୋଗୀକରଣରେ ଓଡ଼ିଶା ୮ ନମ୍ବରରୁ ୧ ନମ୍ବର ହେବ । ଭୁବନେଶ୍ୱରରୁ ପୁରୀ, ମେରାଇନ୍ ଡ୍ରାଇଭ ରୋଡ, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ୍ କରିବାକୁ ପ୍ରସ୍ତାବ ରହିଛି ।