ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କର କେନ୍ଦ୍ରକୁ ବଦଳି ହୋଇଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ । ସଂସଦୀୟ ବ୍ୟାପାର ସଚିବ ଭାବେ ତାଙ୍କୁ ନୂତନ ନିଯୁକ୍ତି ମିଳିଛି । ଆଏଏସ୍ ଉମାଙ୍ଗ ନରୂଲାଙ୍କ ଅବସର ପରେ ନିକୁଞ୍ଜ ଧଳଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି ।
ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ପ୍ରମୁଖ ବିଭାଗ ଗୁଡ଼ିକରେ ୧୮ ଜଣ ଆଇଏଏସ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୧୯୯୪ ବ୍ୟାଚ୍ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ମିଳିଛି । ଗତ ୨୦୨୪, ଜୁନ ୩୦ ତାରିଖରେ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ମିଳିଥିଲା । ଏହା ପୂର୍ବରୁ ୨୦୨୩, ମାର୍ଚ୍ଚ ୨୪ ତାରିଖରେ ସେ ରାଜ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଭାବେ ଦାୟିତ୍ୱ ତୁଲାଇଛନ୍ତି । ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଓ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି ।
ସେହିପରି ଆଇଏଏସ୍ ମୀତା ଆର୍. ଲୋଚନ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ତଥା ପଛୁଆ ବର୍ଗ ଜାତୀୟ ଆୟୋଗର ସଚିବ ହୋଇଛନ୍ତି । କେ ମୋସେସ ଚଲାଇ ଅର୍ଥ ମନ୍ତ୍ରଣାଳୟର ପବ୍ଲିକ୍ ଏଣ୍ଟରପ୍ରାଇଜେସର ସଚିବଭାବେ ନିଯୁକ୍ତ ହୋଇଥିବାବେଳେ, କ୍ୟାବିନେଟ୍ ସେକ୍ରେଟାରିଏଟ୍ ସଚିବ ହୋଇଛନ୍ତି ଆଇଏଏସ୍ ମନୋଜ ଗୋଭିଲ । ସେହିପରି ବନ୍ଦନା ଗୁରନାନୀ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗ ସଚିବ ରଜିତ ପୁନହାନୀ ଏବଂ ଗୃହ ବ୍ୟାପାରର ଇଣ୍ଟର ଷ୍ଟେଟ୍ କାଉନସିଲ୍ ସଚିବଭାବେ ନିଯୁକ୍ତ ହୋଇଛନ୍ତି ଆଇଏଏସ୍ ଆଶିଷ ଶ୍ରୀବାସ୍ତବ ।