ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତ୍ରୁଟି ଶୂନ୍ୟ ଏବଂ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜାଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତୀୟ ବିସ୍ତୃତ ଆଲୋଚନା କରାଯାଇଛି । ରଥଯାତ୍ରାକୁ ତ୍ରୁଟି ଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଟ୍ରାଫିକ ପରିଚାଳନା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ, ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ତଥା ରଥଯାତ୍ରା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସେବା ପ୍ରଦାନକୁ ସମନ୍ୱୟ କରିବା ପାଇଁ ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ଯାନ ବାହନ ପାଇଁ ପାର୍କିଂ ବ୍ୟବସ୍ଥା, ରଥ ନିର୍ମାଣ ପ୍ରସ୍ତୁତି, ରଥଟଣା ସୁବ୍ୟବସ୍ଥା, ବଡଦାଣ୍ଡର ପ୍ରସ୍ତୁତି, ବିଶିଷ୍ଟ ଅତିଥି ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ଏହି ପ୍ରସ୍ତୁତି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ରାଜ୍ୟ ପ୍ରଶାସନର ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ତଥା ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ସେହିପରି ଆଭାସୀ ମାଧ୍ୟମରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଏସପି, ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ l