କଟକ: ପଦ୍ମ ପୁରସ୍କାର ନେଇ ହୋଇଥିବା ମାମଲାରେ ଓଡ଼ିଶା ହାଇକୋର୍ଟ ବିରାମ ଲଗାଇଛନ୍ତି । ମାମଲାକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏଥି ସହିତ ଆବେଦନକାରୀ ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଉପରେ ୧୦ ହଜାର ଟଙ୍କାର ଜରିମନା ଲଗାଇଛନ୍ତି କୋର୍ଟ ।
୨୦୨୩ରେ ରାଷ୍ଟ୍ରପତି ଢେଙ୍କାନାଳର ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପୁରସ୍କାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କିନ୍ତୁ ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ପ୍ରାଣୀ ଚିକିତ୍ସକ ତଥା ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର ହିଁ ପଦ୍ମ ପୁରସ୍କାର ପାଇବାକୁ ପ୍ରକୃତ ବିଜେତା ବୋଲି ହାଇକୋର୍ଟରେ ଆବେଦନ କରିଥିଲେ । ସେ ବିଭିନ୍ନ ଭାଷାରେ ୨୯ଟି ପୁସ୍ତକ ରଚନା କରିଥିଲେ ବୋଲି କହିଥିଲେ । ଏମିତିକି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଫୋନ୍ କଲ୍ ଆସିଥିଲା ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କିନ୍ତୁ ପୁରସ୍କାର ଅନ୍ୟ ଜଣଙ୍କୁ ଦେଇଥିଲେ । ସେପଟେ ଢେଙ୍କାନାଳରେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ୪୦ଟି ପୁସ୍ତକ ରଚନା କରିଥିବା କହିଥିଲେ । ଏମିତିକି ୧୦ଟି ବହି ପାଠ୍ୟ ପୁସ୍ତକ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ।
ତେବେ ଉଭୟ ପକ୍ଷଙ୍କୁ ତଥ୍ୟ ପ୍ରମାଣ ସହିତ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ୩ଟି ତାରିଖ ଧାର୍ଯ୍ୟ କରିଥିଲେ ସୁଦ୍ଧା ଆବେଦନକାରୀ ଭୁବନେଶ୍ୱରର ଅନ୍ତର୍ଯ୍ୟାମୀ ମିଶ୍ର ବିଭିନ୍ନ କାରଣ ଦର୍ଶାଇ ହାଜର ହୋଇ ନ ଥିଲେ । କୌଣସି ତଥ୍ୟ ମଧ୍ୟ କୋର୍ଟରେ ଦାଖଲ କରି ପାରି ନ ଥିଲେ । ଯାହାକୁ ନେଇ ଆଜି ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଆବଶ୍ୟକୀୟ ତଥ୍ୟ ଦେଇ ନ ଥିବାରୁ କୋର୍ଟଙ୍କ ସମୟ ଅପଚୟ ହୋଇଛି ବୋଲି କହିଥିଲେ । ଭୁବନେଶ୍ୱରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥରାଶି ସେ ହାଇକୋର୍ଟ ବାର ଆସୋସିଏସନ୍ ନିକଟରେ ଦାଖଲ କରିବେ ।