ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି । ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଗ୍ରାମ ଜାରି ରଖିଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସେ ଥିଲେ ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ । ସରଳ ଓ ନିରାଡ଼ମ୍ବର ଜୀବନଯାପନ ସହିତ ସମାଜର ଚାକଚକ୍ୟ ଠାରୁ ସେ ଦୂରତା ରକ୍ଷା କରୁଥିଲେ । ସାମ୍ବାଦିକତା ଜଗତରେ ସେ ଥିଲେ ଜଣେ ନିଆରା ବ୍ୟକ୍ତିତ୍ୱ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।
ରତିକାନ୍ତ ମହାନ୍ତି ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ । ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ଶ୍ରୀ ମହାନ୍ତି । ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ବହୁ ସାମ୍ବାଦିକଙ୍କୁ ପ୍ରେରଣା ଯୋଗାଏ । ସେ ଦୀର୍ଘ ୪ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ରହି ଆଗାମୀ ପିଢ଼ି ପାଇଁ ଅନେକ ଉଲ୍ଳେଖନୀୟ ଉଦାହରଣ ସୃଷ୍ଟି କରିଛନ୍ତି ।
ଆମର ସଂସ୍ଥାନ 'ଖବର ଓଡିଶା' ସହିତ ପ୍ରାରମ୍ଭିକ ସମୟରୁ ସେ ଅଙ୍ଗାଙ୍ଗୀ ଜଡିତ ଥିଲେ । ଏହା ସହିତ ଅର୍ଗସ ୱେବ ମିଡ଼ିଆକୁ ମଧ୍ୟ ରତିକାନ୍ତ ଅନ୍ୟ ସାମ୍ବାଦିକଙ୍କ ସହିତ ଉଦ୍ଘାଟନ କରିଥିଲେ ।
ଆଜି ଏଭଳି ଜଣେ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶ୍ରୀ ମହାନ୍ତିଙ୍କର ବିୟୋଗରେ ଶୋକ ପ୍ରକାଶ କରି ଆମର ଆତ୍ମାର ସଦଗତି କାମନା କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ସାମ୍ବାଦିକତା କ୍ଷେତ୍ରକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।