ବୋଗୋଟା: କଲମ୍ବିଆର ସିନେଟର ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ ଟର୍ବେଙ୍କ ଉପରେ ଶନିବାର ଗୁଳିମାଡ଼ ହୋଇଛି। ଗୁଳି ମାରିବା ପରେ ମିଗୁଏଲଙ୍କ ଅବସ୍ଥା କିପରି ଅଛି? ଏ ବିଷୟରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ୩୯ ବର୍ଷୀୟ ମିଗୁଏଲ ବିରୋଧୀ ଦଳ ଡେମୋକ୍ରାଟିକର ସଦସ୍ୟ, ଯାହା ପୂର୍ବତନ ରାଷ୍ଟ୍ରପତି ଆଲଭାରୋ ଉରିବେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଡେମୋକ୍ରାଟିକ ପାର୍ଟି ମଧ୍ୟ ଏହାର ସାଂସଦଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛି।
ଡେମୋକ୍ରାଟିକ ପାର୍ଟି ଏକ ବିବୃତ୍ତି ଜାରି କରି କହିଛି ଯେ, ମିଗୁଏଲ ଶନିବାର ଦିନ ରାଜଧାନୀଠାରୁ ଅଳ୍ପ ଦୂରରେ ଥିବା ଫଣ୍ଟିବନ୍ ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେତେବେଳେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ଲୋକ ତାଙ୍କୁ ପଛରୁ ଗୁଳି କରିଥିଲେ।
ଦଳ ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛି। ଦଳ ସମେତ କୌଣସି ଅଧିକାରୀ ମିଗୁଏଲଙ୍କ ଅବସ୍ଥା ବିଷୟରେ କିଛି କହିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। କଲମ୍ବିଆ ରାଷ୍ଟ୍ରପତି ଏକ ବିବୃତ୍ତି ଜାରି କରି ଆକ୍ରମଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ମିଗୁଏଲଙ୍କ ମାଆ, ସାମ୍ବାଦିକା ଡାଏନା ଟର୍ବେଙ୍କୁ ୧୯୯୧ ମସିହାରେ ପାବ୍ଲୋ ଏସ୍କୋବାରଙ୍କ ମେଡେଲିନ୍ କାର୍ଟେଲ ଅପହରଣ କରିଥିଲା। ଏହି ସମୟରେ, ଡାଏନାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଡାକ୍ତର ଶକିଲଙ୍କ ଜେଲଦଣ୍ଡକୁ କଲେ ଟାର୍ଗେଟ