ଫୁଲବାଣୀ: କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି । ଫୁଲବାଣୀଠାରେ ଖୋଲିଲା ନୂତନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ଏହା ସହିତ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ । ଏହି ହସ୍ପିଟାଲ ଦ୍ୱାରା, କେବଳ କନ୍ଧମାଳ ଜିଲ୍ଲା ନୁହେଁ ପାର୍ଶ୍ଵବର୍ତ୍ତୀ ନୟାଗଡ଼, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀମାନେ ମଧ୍ୟ ଉପକୃତ ହେବେ । ଏହା ସ୍ଥାନୀୟ ରୋଜଗାର, ଗବେଷଣା ଓ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ଏକ ଶକ୍ତିଶାଳୀ ଇଞ୍ଜିନ ଭାବରେ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି । ଗତ ୨୪ ବର୍ଷରେ କିଭଳିଭାବେ ସ୍ୱାସ୍ଥ୍ୟ ସେବାକୁ ଅବହେଳିତ ଅବସ୍ଥାରେ ରଖାଯାଇଥିଲା ତାହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ଵସ୍ତରୀୟ ସେବା ନାଁରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା। ଏହାକୁ ସଜାଡିବା ସହିତ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ କାର୍ଯ୍ୟ ଜାରି ରହିଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ଡାକ୍ତରଙ୍କ ଅଭାବ ରହିବ ନାହିଁ, ପ୍ରତ୍ୟେକ ହସ୍ପିଟାଲରେ ଆବଶ୍ୟକ ଡାକ୍ତରଙ୍କୁ ପୋଷ୍ଟିଂ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ସେ କୌଣସି କାର୍ପଣ୍ୟ ଦେଖାଇ ନାହାଁନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ଭୂସ୍ଵର୍ଗ ଦାରିଙ୍ଗବାଡି ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ୧୮ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରି ଟେଣ୍ଡର ଆହ୍ୱାନ କରିଛନ୍ତି ଓ ପୁତୁଡି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ କରାଯାଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ପ୍ରାୟ ୫୪ ପ୍ରତିଶତ ଅଧିବାସୀ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ଵ ନେବା ପରଠାରୁ ଜନଜାତି ସମ୍ପ୍ରଦାୟଙ୍କ ଉନ୍ନତି ଓ କଲ୍ୟାଣ ସାଧନ ପାଇଁ ଆନେକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଦିବାସୀମାନଙ୍କର ଜଙ୍ଗଲ ଜମି ଅଧୀକାର ପ୍ରଦାନ କରୁଛନ୍ତି । ଜଙ୍ଗଲ ଜମି ଅଧିକାର ଆଇନ ଦ୍ୱାରା ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ସମସ୍ତ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ।