ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାଛ ମାର୍କେଟରେ ମିଳୁଛି କେମିକାଲ ଯୁକ୍ତ ବିଷାକ୍ତ ମାଛ । ଏହା ସହିତ ଓଜନ ମାଧ୍ୟମରେ ଗ୍ରାହକଙ୍କୁ ଠକୁଛନ୍ତି ଦୋକାନୀ । ଜଳେଶ୍ୱର ପୌର ପାଳିକା ପକ୍ଷରୁ ଚଢ଼ଉବେଳେ କିଛି ବ୍ୟବସାୟୀଙ୍କୁ ଧରାଯିବା ସହିତ ଜରିମାନା ଲଗାଯାଇଛି ।
ଜଳେଶ୍ଵର ଥାନା ବଜାର ମାଛ ବଜାରରେ କେମିକାଲ ଏବଂ ରଙ୍ଗ ମିଶା ମାଛ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଦୋକାନୀମାନେ ଓଜନରେ ମଧ୍ୟ ଗ୍ରାହକଙ୍କୁ ଠକୁଥିଲେ । ଏହା ଉପରେ ରୋକ୍ ଲଗାଇବାକୁ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୌରପାଳିକା ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନା କରାଯାଇଥିଲା । ଜଳେଶ୍ଵର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ନେତୃତ୍ୱରେ ଆଜି ଉକ୍ତ ଟିମ୍ ମାଛ ମାର୍କେଟରେ ଅତର୍କିତ ଚଢ଼ଉ କରିଛି । ଚଢ଼ଉ ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ୫ ଜଣ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଯିବା ସହିତ ଅନ୍ୟ କିଛି ବ୍ୟବସାୟୀଙ୍କୁ ନୋଟିସ୍ ଜାରି କରାଯାଇଛି । ବ୍ୟବସାୟୀକଙ୍କ ଠାରୁ ଓଜନ ବଟକରା, ମେସିନ ଜବତ କରାଯାଇଛି ।
ଆଗକୁ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି । ଏହି ଚଢ଼ଉରେ ଜଳେଶ୍ଵର ଆଇଆଇସି ଅଶୋକ ବାରିକ,ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରା, ଓଜନ ଓ ପରିମାପ ବିଭାଗର ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା, ଓଜନ ଓ ପରିମାପ ବିଭାଗ ଏନଫୋର୍ସମେଣ୍ଟ ଅଫିସର ବୁଦ୍ଧେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ତଥା ପୌରପାଳିକାର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।