ପୁରୀ : ଆସନ୍ତା ଡିସେମ୍ବର ୧୬ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବାର ବିଧି ରହିଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶୀତର ପ୍ରକୋପ ସହି ନପାରି ଧନୁ ସଂକ୍ରାନ୍ତି ପୂର୍ବଦିନରୁ ମହାଲକ୍ଷ୍ମୀ ବାପଘର ଚାଲିଯାଇଥାଆନ୍ତି। ଏଣୁ ମହାପ୍ରଭୁ ମାଆ ଯଶୋଦାଙ୍କ ହାତ ପରଷା ଖାଇଥାନ୍ତି। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବଡିଭୋରୁ ମାଆ ପ୍ରସାଦ ପ୍ରସ୍ତୁତ କରି ପରଷି ଥାନ୍ତି। ଏଣୁ ଶ୍ରୀମନ୍ଦିରରେ ଏକ ମାସ ଧରି ଶ୍ରୀମନ୍ଦିରରେ ସଅଳ ନୀତି ଅନୁଷ୍ଠିତ ହୋଇଥାଏ।
ପହିଲି ଭୋଗ ନିତି ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ଭୋର ୫ଟା ୩୦ ରୁ ୬ଟା ମଧ୍ୟରେ ଏହି ନୀତି ଅନୁଷ୍ଠିତ ହେବ। ତେବେ ରାତ୍ର ୨ଟା ଦ୍ୱାର ଫିଟା ନୀତି କରାଯାଇ ରାତ୍ର ୧୧ ଟାରେ ପହୁଡ଼ ନୀତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିବା ପହୁଡ଼ ନୀତି କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି।
ସେହିପରି ଜାନୁଆରୀ ୩ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତିକୁ ମଧ୍ୟ ଶୃଙ୍ଖଳିତ କରାଯିବ। ଏହି ଦିନ ଠାକୁରଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଜାନୁଆରୀ ୧୪ରେ ଅନୁଷ୍ଠିତ ହେବାକୁ ଥିବା ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛି ଛତିଶା ନିଯୋଗ। ତେବେ ସମସ୍ତ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ମଧ୍ୟରେ ଏକ ସବ୍ କମିଟି ଗଠନ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ଚିଠା ମାର୍ଗଦର୍ଶିକା ଉପରେ ଆଲୋଚନା ହୋଇଥିଲା। ପୁରୀବାସୀଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ପରିଚାଳନା କମିଟି ନିଷ୍ପତ୍ତି ନେବ। ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ ଶେଷ ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ରତ୍ନଭଣ୍ଡାର ଗଣତି ମଣତି ନେଇ ଏକ ଚିଠା ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି କରାଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍ପି, ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ପରିଚାଳନା କମିଟି ସଦସ୍ୟ, ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।