କେନ୍ଦୁଝର: ଭୁବନେଶ୍ୱର କିସ୍ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଝୁରାର ଟିକରଗୁମୁରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା (୧୪) । ପୁଅକୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଉପଯୁକ୍ତ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଅର ଶବକୁ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି ।
ରଘୁନାଥଙ୍କ ଅଭିଯୋଗ ମୁତାବକ, ଗତକାଲି ସକାଳେ ପୁଅ ଶିବର ଦେହ ଅସୁସ୍ଥ ଥିବା ନେଇ ବିଦ୍ୟାଳୟରୁ ଫୋନ୍ କଲ୍ ଯାଇଥିଲା । ଝାଡ଼ା ବାନ୍ତି ହେଉଥିଲା । ପାଇଖାନାକୁ ଯାଇଥିବାବେଳେ ପଡ଼ି ଯାଇଥିବା ନେଇ କୁହାଯାଇଥିଲା । ଛାତ୍ରକୁ କିମସ୍ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଥିଲା । ପୁଅର ଅସୁସ୍ଥତା ଖବର ପାଇବା ପରେ ସେ ତୁରନ୍ତ କେନ୍ଦୁଝରରୁ ଆସି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିଥିଲେ । ମାତ୍ର ଡାକ୍ତରଖାନାରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଆମ୍ବୁଲାନ୍ସ ଯୋଗେ ମୃତ ଦେହକୁ ଡାକ୍ତରାଖାନା କର୍ତ୍ତୃପକ୍ଷ କେନ୍ଦୁଝରକୁ ପଠାଇ ଦେଇଥିଲେ । ତେବେ ପୁଅର ବେକରେ କିଛି ଦାଗ ରହିଥିବା ନେଇ ରଘୁନାଥ ଅଭିଯୋଗ କରିଛନ୍ତି । ତେଣୁ ଉପଯୁକ୍ତ ତଦନ୍ତ କରିବାକୁ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି । ପରିବାର ଲୋକଙ୍କୁ କୋଟିଏ ଟଙ୍କାର କ୍ଷତିପୂରଣ ଦେବାକୁ ସମ୍ପର୍କୀୟମାନେ ଜାବି କରିଛନ୍ତି ।
ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦୁଝର ତହସିଲଦାର ଦୁର୍ଗେଶ କଲ୍ୟାଣ ପ୍ରଧାନ ।