କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଖନ୍ଦୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବନ୍ଦ ଘର ଭିତରୁ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ହେଲେ ସାଲେପୁର ମାଛୁଆତି ଅଞ୍ଚଳର ଚିନ୍ମୟୀ ଭୋଇ ଏବଂ ଯୁବକ ଜଣକ ହେଲେ ବାଲିସଅଁଳା ଗ୍ରାମର ଦେବେନ୍ଦ୍ର ମୁଣ୍ଡା ।
ଚିନ୍ମୟୀ ଭୋଇ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ସ୍ୱାସ୍ଥ୍ୟ କର୍ମୀଭାବେ କାର୍ଯ୍ୟ କରୁଥିଲେ । ସେ ୪ ମାସ ତଳେ ସରକାରୀ ଚାକିରୀ ପାଇଥିଲେ । ଗତକାଲି ଦରମା ମଧ୍ୟ ପାଇଥିଲେ। ଚିନ୍ମୟୀ ଗତ ୪ ଦିନ ହେବ ଖନ୍ଦୋଳ ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଭଡ଼ାରେ ରହୁଥିଲେ । ତେବେ ଗତ କାଲିଠାରୁ ଘରର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲା । ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିର ଘରର କବାଟ ଭାଙ୍ଗିବାରୁ ଉଭୟଙ୍କ ମୃତ ଦେହ ଗୋଟିଏ ଓଢ଼ଣୀରେ ଝୁଲୁଥିବାରେ ଦେଖି ମିଳିଥିଲା । ପୋଲିସ ଦୁଇଟି ମୃତ ଦେହକୁ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା ।
ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଛି । ଅନ୍ୟପକ୍ଷରେ ଚିନ୍ମୟୀ ପିଲା ବେଳୁ ବାପ ଛେଉଣ୍ଡ । ବାଲିସଅଁଳାରେ ଥିବା ତାଙ୍କ ମାମୁଁ ଘରେ ସେ ରହିଆସୁଥିଲେ । କିନ୍ତୁ ପରିବାର ଲୋକ ଦେବେନ୍ଦ୍ର ଏବଂ ଚିନ୍ମୟୀଙ୍କ ସମ୍ପର୍କରେ କିଛି ଜାଣି ନ ଥିବା କହିଛି । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମାହାଙ୍ଗା ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ କହିଛନ୍ତି ।