ପୁରୀ: ଶ୍ରୀ ମନ୍ଦିରର ପାଣ୍ଠି ବଢ଼ାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ଡିଜିଟାଲ ହୁଣ୍ଡି ରଖିବାକୁ ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଶ୍ରୀ ମନ୍ଦିରକୁ ଦାନ ଦକ୍ଷିଣା ଦେବା ପାଇଁ ଇଚ୍ଛୁକ ଥିବା ଦାତାମାନେ ଡିଜିଟାଲ ହୁଣ୍ଡି ମାଧ୍ୟମରେ ଦାନ କରିପାରିବେ । ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ରହିବ ଡିଜିଟାଲ ହୁଣ୍ଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଆଇନ ବିଭାଗ। ଏନେଇ ସବୁ ବ୍ୟାଙ୍କର ସିଏମଡିଙ୍କ ସହ ଆଲୋଚନା କରାଯାଉଛି ।
ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କରେ ଶ୍ରୀଜଗନ୍ନାଥ ମନ୍ଦିରର ଆକାଉଣ୍ଟରେ ଦାନ ପାଇଁ ଅନଲାଇନ ବ୍ୟବସ୍ଥା ସହ ୟୁପିଆଇ ସ୍କାନର ଲାଗିବ। ଯାହା ସାହାଯ୍ୟରେ ଜଣେ ଦାତା ସ୍କାନ କରି ସହଜରେ ଦାନ ଦେଇପାରିବ । ଏହି କାର୍ଯ୍ୟର ସାଇବର ଲୁଟେରା ଫାଇଦା ଉଠାଇ ଫେକ୍ ସ୍କାନର ଲଗାଇ ଟଙ୍କା ଲୁଟି ପାରନ୍ତି। ସେଥିପାଇଁ କଡ଼ା ନଜର ରଖିବାର ବ୍ୟବସ୍ଥା କରାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ଦାତାମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ।