ଭୁୁବନେଶ୍ୱର: ମୌସୁମୀ ସିନା ସଅଳ ଆସିଲା ହେଲେ ଅଧା ବାଟରୁ କୁଆଡେ ଗାଏବ ହୋଇଗଲା । ବିରତି ନେଇଥିବା ମୌସୁମୀର ପ୍ରଭାବ ଏବେ ସାରା ରାଜ୍ୟରେ ପଡିଛି । ସ୍ଥିତି ଏମିତି ଯେ ପ୍ରବଳ ଗରମ ଓ ଗୁଳିଗୁଳିରେ ଦେହ ହାତ ସନ୍ତୁଳ ହୋଇ ଯାଉଛି । ସେପଟେ ପାଣିପାଗ ବିଭାଗ କହିଛି ୧୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ । ସେହିପରି ୧୧ ରୁ ୧୩ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ତାତି କମିବ । ତେବେ ଆସନ୍ତା ୩ ଦିନ ଯାଏ ଉଷ୍ମ ଆଦ୍ରତା ସ୍ଥିତି ଜାରି ରହିବ ।
ରାଜ୍ୟ ରୁ ମୌସୁମୀ ଗାଏବ ରହିଥିବାରୁ ତାତି ବଢିବାରେ ଲାଗିଛି । ସକାଳ ୭ ଟା ୩୦ ରୁ ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି। ରାଜ୍ୟରେ ଏବେ ବ୍ରେକ୍ ମନସୁନର ସ୍ଥିତି ଜାରି ରହିଥିବା ବେଳେ ଜଳୀୟ ବାଷ୍ପ ପ୍ରଭାବରେ ସ୍ଥିତି ଏଭଳି ଅନୁଭୂତ ହେଉଥିବା ପାଣିପାଗ ବିଭାଗ କହିଛି । ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ଏ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରିଛି । ବିଭିନ୍ନ ସ୍ଥାନରେ ହିଟ ୱେଭ ସ୍ଥିତି ମଧ୍ୟ ଉପୁଜି ପାରେ।
ହେଲେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ କହିଛନ୍ତି ୯ ରୁ ପବନର ଦିଗ ବଦଳିବ ଓ ପାଗରେ ପରିବର୍ତ୍ତନ ଆସିବ। ୧୦ ତାରିଖରେ ଉପକୂଳ ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ। ମଡେଲ ଅନୁସାରେ ୧୧ ରୁ ୧୩ ଯାଏଁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ୧୫ ତାରିଖ ରାତିରୁ ବର୍ଷା ବଢ଼ିବ। ୧୬ କିମ୍ବା ୧୭ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ପରେ ଏହା ଲଘୁଚାପର ରୂପ ନେଇପାରେ।