ଭୁବନେଶ୍ବର; ଆଜିଠାରୁ(ଶନିବାର) ରଜ୍ୟରେ ପୁଣି ବୃଦ୍ଧି ପାଇବ ତାପମାତ୍ରା । ଏଥି ପାଇଁ ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳିର ପ୍ରବାହ ଦେଖାଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପରିମାଣ ଅଧିକ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି କରିବ କଲବଲ । ସେହିପରି ଅପରାହ୍ନରେ ସ୍ଥାନେ ସ୍ଥାନେ କାଳବୈଶାଖି ମଧ୍ୟ ଦେଖିବାକୁ ମିଳିବ । ପାଣିପାଗ ବିବାଗ ସୂଚନା ଅନୁଯାୟୀ,ଶନିବାରଠାରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବ। ତେଣୁ ରାଜ୍ୟରେ ତାତି ଓ ଗୁଳୁଗୁଳି ଲାଗି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି ।