ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ପର୍ଯ୍ୟଟକଙ୍କ ବସ ଦୁର୍ଘଟଣାଗ୍ରସ୍ତ । ବସଟି ରାସ୍ତାର କଡ଼ରେ ଥିବା ଏକ ଟ୍ରଲରୁ ଧକ୍କା ଦେଇଛି । ଫଳରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ସମସ୍ତଙ୍କୁ ଉଦ୍ଧାର କରି ବସ୍ତା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ପଶ୍ଚିମବଙ୍ଗ ଚକଦା ଥାନା ଲକ୍ଷ୍ମୀପୁର ଅଞ୍ଚଳରୁ ଏକ ପର୍ଯ୍ୟଟକ ବସ୍ (WB19G5646) ପୁରୀ ଅଭିମୁଖେ ଆସୁଥିଲା । ବସରେ ୫୧ ଜଣ ତୀର୍ଥ ଯାତ୍ରୀ ଥିଲେ । ଆଜି ଭୋର ପ୍ରାୟ ୪ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥରେ ଭେଲରା ନିକଟରେ ବସଟି ଏକ ଟ୍ରଲରକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ବସର ସମ୍ମୁଖଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପକ୍ଷରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୦ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇପଡ଼ିଥିଲେ । ପ୍ରାଟ୍ରୋଲିଂ କରୁଥିବା ପୋଲିସ ସେମାନଙ୍କୁ ଉଦ୍ଧାର କରି ବସ୍ତା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରି ନ ଥିବା ଜଣାପଡ଼ିଛି । ତେବେ ପୋଲିସ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।