ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡଓ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୦ରୁ ହେଣ୍ଡିଗ୍ଲେରୁ ଆରମ୍ଭ ହେବ। ଏହା ପୂର୍ବରୁ ଇଂଲଣ୍ଡ ଲାୟନ୍ସ ଓ ଭାରତୀୟ ଦଳ ମଧ୍ୟରେ ଦ୍ଵିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍ରେ ଭାରତୀୟ ଏ ପ୍ରଥମେ ବ୍ୟାଟିଂ କରି ୩୪୮ ରନ କରିଛନ୍ତି। ଦଳ ପକ୍ଷରୁ ତାରକା ବ୍ୟାଟର କେଏଲ ରାହୁଲ ଶତକ ହାସଲ କରିଛନ୍ତି। ନର୍ଥମ୍ପଟନର କାଉଣ୍ଟି ଗ୍ରାଉଣ୍ଡରେ ଖେଳା ଯାଉଥିବା ମ୍ୟାଚ୍ରେ ରାହୁଲ ୧୬୮ ବଲ୍ରୁ ୧୫ ଚୌକା ଓ ଏକ ଛକା ସହ ୧୧୬ ରନର ଶତକୀୟ ଇନିଂସ ଖେଳିଛନ୍ତି।
କେଏଲ ରାହୁଲଙ୍କ ସହ ପ୍ରଥମ ଇନିଂସରେ ଓପନିଂ କରିଥିଲେ ଯଶସ୍ଵୀ ଜୟସ୍ଵାଲ। ରାହୁଲ ଓପନିଂ କରିବାରୁ ଅଧିନାୟକ ଅଭିମନ୍ୟୁ ଈଶ୍ଵରନଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିଛି। କିନ୍ତୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟରେ ଈଶ୍ଵରନ ଜୟସ୍ଵାଲଙ୍କ ସହ ଓପନିଂ କରିଥିଲେ। ତେବେ ଦ୍ଵିତୀୟ ଅନୌପଚାରିକ ଟେଷ୍ଟରେ କେଏଲ ରାହୁଲ ଓପନିଂ କରିବା ଏବଂ ଶତକ ହାସଲ କରିବା ସ୍ପଷ୍ଟ କରୁଛି ସେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଓପନିଂ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ।
ହେଣ୍ଡିଗ୍ଲେରେ ଖେଳା ଯିବାକୁ ଥିବା ପ୍ରଥମ ଟେଷ୍ଟରେ ତିନି ନମ୍ବରରେ କରୁଣ ନାୟର, ସାଇ ସୁଦର୍ଶନ କିମ୍ବା ଅଭିମନ୍ୟୁ ଈଶ୍ଵରନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ତଥାପି କରୁଣ ନାୟରଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି। ଏହା ପରେ ନମ୍ବର ୪ରେ ଖେଳି ପାରନ୍ତି ଅଧିନାୟକ ଶୁଭମନ ଗିଲ୍। ଏହି ନମ୍ବରରେ ପାରମ୍ପରିକ ଭାବେ ବ୍ୟାଟିଂ କରୁଥିଲେ ବିରାଟ କୋହଲି। ଏହା ପରେ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ପଞ୍ଚମ ଓ ରବୀନ୍ଦ୍ର ଜାଡ଼େଜା ଷଷ୍ଠ କ୍ରମରେ ବ୍ୟାଟିଂ କରିବା ନିଶ୍ଚିତ ଲାଗୁଛି।
ଅଲରାଉଣ୍ଡର ନୀତିଶ କୁମାର ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ତେବେ ଏତିରେ ନୀତିଶ କୁମାରଙ୍କ ପଲ୍ଲା ଭାରି ରହିଛି। ଏହା ପରେ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଭାବେ ତିନି ବିଶେଷଜ୍ଞ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କୁ ବିଶେଷଜ୍ଞ ସ୍ପିନର ଭାବେ ଚଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।ଏହିପରି ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୪ ବିଶେଷଜ୍ଞ ବ୍ୟାଟର, ଜଣେ ଓ୍ଵିକେଟ୍ କିପର, ଦୁଇ ଅଲରାଉଣ୍ଡର, ତିନି ବିଶେଷଜ୍ଞ ଦ୍ରୁତ ବୋଲର ଓ ଜଣେ ବିଶେଷଜ୍ଞ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ।
ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ/କରୁଣ ନାୟର/ଅଭିମନ୍ୟୁ ଈଶ୍ଵରନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ।
ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଟିମ୍
ବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ, କ୍ରିସ ଓ୍ଵକ୍ସ।
ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ସିଡ୍ୟୁଲ୍ ୨୦୨୫
ଜୁନ ୨୦ରୁ ୨୪- ପ୍ରଥମ ଟେଷ୍ଟ, ହେଣ୍ଡିଗ୍ଲେ
ଜୁଲାଇ ୨ରୁ ୬- ଦ୍ଵିତୀୟ ଟେଷ୍ଟ, ଆଜବେଷ୍ଟନ
ଜୁଲାଇ ୧୦ରୁ ୧୪- ତୃତୀୟ ଟେଷ୍ଟ, ଲର୍ଡ୍ସ
ଜୁଲାଇ ୨୩ରୁ ୨୭- ଚତୁର୍ଥ ଟେଷ୍ଟ, ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡ
ଜୁଲାଇ ୩୧ରୁ ଅଗଷ୍ଟ ୪- ପଞ୍ଚମ ଟେଷ୍ଟ, କିଆ ଓଭାଲ