ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR। ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ। ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସରିଛି। ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ ୨୦୦୨ରେ ମଧ୍ୟ ଅଛନ୍ତି। ଏଭଳି କ୍ଷେତ୍ରରେ ବିଏଲଓଙ୍କୁ ଜଣାଇବାକୁ କହିଛନ୍ତି ନିର୍ବାଚନ ଅଧିକାରୀ। ବାକିଥିବା ୧୦ ପ୍ରତିଶତ ସହରାଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି।
ବିଶେଷ କରି ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଚଳିତ ୨୦୨୫ର ଭୋଟର ତାଲିକାକୁ ୨୦୦୨ର ପୁରୁଣା ତାଲିକା ସହିତ ମିଳାଯାଉଛି। ଯେଉଁ ଭୋଟରଙ୍କ ନାମ ୨୦୨୫ ତାଲିକାରେ ଆଗରୁ ଅଛି, ସେମାନଙ୍କୁ ପୁଣିଥରେ ଆଧାର କାର୍ଡ ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଭୋଟରମାନେ ECINET ମୋବାଇଲ୍ ଆପ୍ ମାଧ୍ୟମରେ କିମ୍ବା QR କୋଡ୍ ବ୍ୟବହାର କରି ନିଜର ତଥ୍ୟ ଯାଞ୍ଚ କରିପାରିବେ। ଅଧିକ ସୂଚନା ପାଇଁ ସରକାରୀ ୱେବସାଇଟ୍ ceoodisha.nic.in ଦେଖନ୍ତୁ କିମ୍ବା ହେଲ୍ପଲାଇନ୍ ନମ୍ବର ୧୯୫୦କୁ କଲ୍ କରନ୍ତୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ । ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ କହିଛନ୍ତି।