ବ୍ରହ୍ମପୁର: ବହୁଚର୍ଚ୍ଚିତ ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ଘୁଞ୍ଚିଲା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି।ପୁଲିସ ଜାମିନ୍କୁ ବିରୋଧ କରିବା ସହ ତାଙ୍କ ବିରୋଧରେ ୨ଟି ମାମଲା ଥିବା କୋର୍ଟକୁ ଜଣାଇଥିଲେ। ପୁଲିସ ପକ୍ଷରୁ ଦିଆଯାଇଥିବା ପିଟିସନର ଉତ୍ତର ରଖିବା ପାଇଁ ବିକ୍ରମଙ୍କ ଓକିଲ ସମୟ ମାଗିଥିବାବେଳେ ଆସନ୍ତା ୯ ତାରିଖରେ ଜାମିନ୍ ଆବେଦନର ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।
ସେପଟେ ବ୍ରହ୍ମପୁର ଏଡିଜେ-୩ରେ ହତ୍ୟା ମାମଲାର ଶୁଣାଣି ହୋଇଛି। କୋର୍ଟରେ ସମସ୍ତ ତଥ୍ୟ, ସିଡିଆର୍, ଆଇପିଡିଆର ଏବଂ ଅନ୍ୟ କାଗଜାତ ଦାଖଲ କରିଛି ପୁଲିସ। ଅଭିଯୁକ୍ତଙ୍କ ଓକିଲଙ୍କୁ ଏହିସବୁ ତଥ୍ୟ ସହ ଚାର୍ଜସିଟ୍ କପି ଦିଆଯାଇଥିଲା । ବିକ୍ରମଙ୍କ ଆପତ୍ତିଜନକ ଫଟୋ, ଅଭିଯୁକ୍ତମାନେ ସହରରେ ବୁଲୁଥିବା ଭିଡିଓ ଏବଂ ଅନ୍ୟ ତଥ୍ୟ ରହିଥିବା ପେନ୍ଡ୍ରାଇଭ୍ ମଧ୍ୟ ପୁଲିସ କୋର୍ଟରେ ଦାଖଲ କରିଥିଲା।
ଅଭିଯୁକ୍ତଙ୍କ ଓକିଲ ପେନ୍ଡ୍ରାଇଭରେ ସବୁ ତଥ୍ୟ ଅଛି କି ନାହିଁ ଯାଞ୍ଚ୍ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। କୋର୍ଟ ସଙ୍ଗେସଙ୍ଗେ ସେ ସବୁ ଯାଞ୍ଚ୍ କରିବାବେଳେ ଅନେକ ଫୋଲ୍ଡର ଖୋଲି ନ ଥିଲା। ଏଣୁ ଅଭିଯୁକ୍ତଙ୍କ ଓକିଲ ସେହି ପେନ୍ଡ୍ରାଇଭ୍ ଫେରାଇ ଦେଇଥିଲେ। ଆସନ୍ତା ୯ରେ ପୁଣି ଏହି ମାମଲାର ଶୁଣାଣି ହେବ। ସେଦିନ ପେନ୍ଡ୍ରାଇଭ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ଅତ୍ୟନ୍ତ ସାଂଘାତିକ ତଥ୍ୟର ଖୁଲାସା ହୋଇଥିଲା। ଏହି ହାଇପ୍ରୋଫାଇଲ ମର୍ଡର କେସରେ ଗିରଫ ହୋଇ ଜେଲରେ ଅଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ତଦନ୍ତ ବେଳେ ପୋଲିସ କହୁଥିଲା ଯେ ହତ୍ୟାକାଣ୍ଡ ପଛରେ ପୀତବାସ ଓ ବିକ୍ରମଙ୍କ ଭିତରେ ରାଜନୈତିକ ଶତ୍ରୁତା ଥାଇପାରେ, କିନ୍ତୁ ଅସଲରେ ରାଜନୈତିକ ଶତ୍ରୁତା ନୁହେଁ ବରଂ ବ୍ୟକ୍ତିଗତ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କାରଣ ଜଣେ ମହିଳାଙ୍କ ସହ ବିକ୍ରମଙ୍କ ଅଶ୍ଳୀଳ ଫଟୋ ପୀତବାସଙ୍କ ହାତରେ ଲାଗିବା ପରେ ତାହା ବିକ୍ରମଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବ ବୋଲି ସନ୍ଦେହ କରାଯାଉଥିଲା।
ଅଧିକ ପଢନ୍ତୁ: ଟ୍ରେନ୍ ଶୌଚାଳୟରେ ବିଚାରପତିଙ୍କ ପତ୍ନୀଙ୍କ ମୃତ୍ୟୁ, ଷ୍ଟେସନରେ ଅପେକ୍ଷା କରିଛନ୍ତି ସ୍ୱାମୀ