ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏକ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମିଠା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ସାମନ୍ତରାପୁର ସ୍ଥିତ ଏକ ମିଠା ଦୋକାନରେ କୌଣସି କାରଣକୁ ନେଇ ଦୋକାନୀ ଏବଂ କିଛି ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା, ଯେଉଁଥିରେ ୩ ଜଣ ଯୁବକ ସଂଘବଦ୍ଧ ଭାବେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଦୋକାନୀ ଜଣକ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡିଯାଇଥିଲେ।
ଗୁରୁତର ଦୋକାନୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିବା ପରେ ଉକ୍ତ ୩ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।