ନୂଆଦିଲ୍ଲୀ: CISF ଆଜି ତାହାର ୫୭ତମ ସ୍ଥାପନା ଦିବସ ପାଳନ କରୁଛି । ବିଗତ ୫୭ ବର୍ଷ ମଧ୍ୟରେ ଏହି ବାହିନୀ ନିଜର କ୍ଷମତା ଓ ସାମର୍ଥ୍ୟରେ ବହୁଗୁଣା ବୃଦ୍ଧି କରିବା ସହ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାପନଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ବର୍ତ୍ତମାନ ସିଆଇଏସଏଫ୍ ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କ ସଂଖ୍ୟାବଳ ସହିତ ଦେଶର ୨୫ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ ଅଛି । ଏହି ବାହିନୀ ସମୁଦାୟ ୩୬୧ଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ସୁରକ୍ଷା ଯୋଗାଉଛି, ଯେଉଁଥିରେ ସାମିଲ ଅଛି ୭୧ଟି ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ । ୧୦୫ଟି ବିଦ୍ୟୁତ କେନ୍ଦ୍ର ଓ ୧୮ଟି ପରମାଣୁ ସଂସ୍ଥାପନ । ୩୬ଟି ତୈଳ ଓ ଗ୍ୟାସ୍ ୟୁନିଟ୍ ଏବଂ ୧୭ଟି ଇସ୍ପାତ କାରଖାନା । ଭାରତ ସରକାରଙ୍କ ମୁଖ୍ୟ ମନ୍ତ୍ରଣାଳୟର ୪୭ଟି ସରକାରୀ ଭବନ ।ଏହା ସହିତ ୧୫୬ରୁ ଅଧିକ ସୁରକ୍ଷାପ୍ରାପ୍ତ ବ୍ୟକ୍ତିଙ୍କୁ (VVIPs) ଏହାର ବିଶେଷ ସୁରକ୍ଷା ଗୋଷ୍ଠୀ (SSG) ସୁରକ୍ଷା ଦେଉଛି ।
ବିମାନବନ୍ଦରରେ ୧୫ ଲକ୍ଷ ଓ ମେଟ୍ରୋରେ ୭୦ ଲକ୍ଷ ଯାତ୍ରୀଙ୍କ ସମେତ ଦୈନିକ ପ୍ରାୟ ୧ କୋଟି ଲୋକଙ୍କୁ ବାହିନୀ ସୁରକ୍ଷା ପ୍ରଦାନ କରୁଛି । ସିଆଇଏସଏଫ୍ ଦ୍ୱାରା ସୁରକ୍ଷିତ ୭୩% ୟୁନିଟ୍ରେ ଅପରାଧ ହାର ଶୂନ୍ୟ ରହିଛି । ୨୦୨୫ରେ ବାହିନୀର କର୍ମଚାରୀମାନେ ୮ଟି ମୂଲ୍ୟବାନ ଜୀବନ ରକ୍ଷା କରିବା ସହ ୨୮୮୯ଟି ଅଗ୍ନିକାଣ୍ଡ ଘଟଣାରେ ଯୋଗଦେଇ ପ୍ରାୟ ୧୭୨.୫୫ କୋଟି ଟଙ୍କାର ସମ୍ପତ୍ତି ରକ୍ଷା କରିଛନ୍ତି ।
୨୦୨୫ ମଇ ମାସରେ ଜମ୍ମୁ-କାଶ୍ମୀରର ଉରି ହାଇଡ୍ରୋ ପ୍ରକଳ୍ପରେ ଶତ୍ରୁ ଗୋଳାବାରୁଦ ମଧ୍ୟରେ ପ୍ରାୟ ୨୫୦ ଜଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲା । ସେହିପରି ଅହମଦାବାଦ ବିମାନ ଦୁର୍ଘଟଣା ଏବଂ କିଷ୍ଟୱାର କ୍ଲାଉଡବଷ୍ଟ ଘଟଣାରେ ବାହିନୀର ତୁରନ୍ତ ସେବା ପ୍ରଶଂସନୀୟ ରହିଛି ।
ଗୃହ ମନ୍ତ୍ରଣାଳୟ ସିଆଇଏସଏଫ୍ର ସଂଖ୍ୟାବଳକୁ ୨ ଲକ୍ଷରୁ ୨.୨ ଲକ୍ଷକୁ ବୃଦ୍ଧି କରିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ୧୪,୦୦୦ କର୍ମଚାରୀ ଭର୍ତ୍ତି କରାଯିବ। ସମସ୍ତ CAPF ମଧ୍ୟରେ ସିଆଇଏସଏଫ୍ରେ ସର୍ବାଧିକ ମହିଳା କର୍ମଚାରୀ ଅଛନ୍ତି (ପ୍ରାୟ ୮%) । ପ୍ରଥମ କରି ଏକ ସମ୍ପୂର୍ଣ୍ଣ ମହିଳା କମାଣ୍ଡୋ ୟୁନିଟ୍ ଗଠନ କରାଯାଇଛି । ବର୍ତ୍ତମାନ ୮ ଜଣ IG ସ୍ତରର ଅଧିକାରୀଙ୍କ ମଧ୍ୟରୁ ୪ ଜଣ ମହିଳା, ଯାହା ଶୀର୍ଷ ସ୍ତରରେ ୫୦% ମହିଳା ପ୍ରତିନିଧିତ୍ୱକୁ ଦର୍ଶାଉଛି ।
ସହିଦ କର୍ମଚାରୀଙ୍କ ପରିବାର ପାଇଁ ଏକ୍ସ-ଗ୍ରେସିଆ କ୍ଷତିପୂରଣ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ DG ସ୍କଲାର୍ଶିପ୍ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେବାକାଳୀନ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ୨୫ରୁ ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।