ଭୁବନେଶ୍ୱର: ଆଜି ହେଉଛି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ । ଆଉ ଏହି ଅବସରରେ ଶ୍ରୀମୟୀ ମିଶ୍ର ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ବାଣରେ ଘେରିଛନ୍ତି, ଆଉ ତାଙ୍କର କର୍ତ୍ତବ୍ୟ ମନେ ପକାଇଦେଇଛନ୍ତି । ବିଜୁ ବାବୁଙ୍କ ଶେଷ ସମୟରେ ପୁଅ ଭଳି ସେବା କରିଥିବା ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ କରିବାକୁ କହିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ଫେସବୁକରେ ପୋଷ୍ଟ କରି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦୀର୍ଘ ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି ? ଯେଉଁ ପିତାଙ୍କ ନାମରେ କ୍ଷମତା ଉପଭୋଗ କଲେ, କ'ଣ ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଆଉ ଖଣ୍ଡି ଓଡ଼ିଆରେ ଭାଷଣ ଦେବା ହିଁ ଦେଶର ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ?
ସେହିପରି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି, ପୁରୀ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିକୁ ଭାଙ୍ଗି ଦେଲେ। ଆଉ ଓଲଟା ବାହାବା ନେବାକୁ ନିଜ ଦରମାଭୋଗୀମାନଙ୍କ ମାଧ୍ୟମରେ ବଳିଦାନର କାହାଣୀ ରଚିବାର ପ୍ରୟାସ କରିଥିଲେ। ସେ ଚାହିଁଥିଲେ ପୁରୀ ସହରରେ ଯେକୌଣସି ସ୍ଥାନରେ ବିଜୁବାବୁଙ୍କ ସମାଧିକୁ ପୁନଃନିର୍ମାଣ କରିପାରିଥାନ୍ତେ। ଏହା କ'ଣ ତାଙ୍କ ପ୍ରତି ତାଙ୍କର କୁଚକ୍ରୀ ମାନସିକତାକୁ ଉଜାଗର କରୁନି କି ?
ଦିଲ୍ଲୀପଙ୍କୁ ସମର୍ଥନ କରି ଶ୍ରୀମୟୀ କହିଛନ୍ତି ଯେ ଓଡ଼ିଶାବାସୀ ଓ ଦିଲ୍ଲୀରେ ଥିବା ବିଜୁବାବୁଙ୍କ ପାଖ ଲୋକେ କୁହନ୍ତି କି, ବିଜୁବାବୁଙ୍କର ଶେଷ ସମୟରେ ତାଙ୍କୁ ନିଜ ଘରେ ରଖି ବାପାଙ୍କ ଭଳି ପାଖରେ ରହି ସବୁ କଥା ବୁଝୁଥିଲେ ଶ୍ରୀ ଦିଲୀପ ରାୟ । ତେଣୁ ରାଜ୍ୟସଭା ନିର୍ବାଚନରେ ବାପାଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ୍ ନୁହଁ କି ? ଏମିତି କେତେ ନିର୍ବାଚନ ଆସିବ, ଯେଉଁଥିରେ ଅନ୍ଯ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ହେବ, କିନ୍ତୁ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ,ନ'ଦେଇପାରିବେ, ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ? ବିଜୁବାବୁଙ୍କୁ ଆଦର୍ଶ ମାନୁଥିବା ବହୁ ବିଧାୟକ ମଧ୍ୟ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେବେ, ନା ଭଣ୍ଡ ଅନୁଗାମୀ ହେବେ, ତାହା ସମୟ କହିବ ।