ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଅନ୍ତିମ ଦିନ । ଓଡ଼ିଶାର ୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ । ବିଜେପିର ଦୁଇ ଜଣ ପ୍ରାର୍ଥୀ ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ କୁମାର, ବିଜେଡ଼ିର ଦୁଇ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଧାନସଭାରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ରହିବେ । ଆଜି ସମସ୍ତ ଦଳ ତାର ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମାର୍ଚ୍ଚ ୯ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ୧୬ ମାର୍ଚ୍ଚରେ ନିର୍ବାଚନ ଅନୁଷ୍ଠିତ ହେବେ । ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ମାର୍ଚ୍ଚ ୨୦ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
ଶାସକ ଦଳ ମନମୋହନ ଓ ସୁଜିତଙ୍କୁ ପ୍ରାର୍ଥୀ କରିଛି । ସେହିପରି ମୁଖ୍ୟ ବିରୋଧୀ ଦଳ ସଂତୃପ୍ତଙ୍କ ତୃତୀୟ ପ୍ରାର୍ଥୀ ଭାବେ ଛିଡ଼ା କରାଇଛି । ସେହିପରି ଦତ୍ତେଶ୍ୱର ଉଭୟ ବିଜେଡ଼ି ଏବଂ କଂଗ୍ରେସର ସମର୍ଥିତ ପ୍ରାର୍ଥୀ ଅଟନ୍ତି । ତେବେ ଦିଲ୍ଲୀପ ରାୟ ନିଜକୁ ସ୍ୱାଧୀନ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍ ଦତ୍ତେଶ୍ୱର ଏବଂ ଦିଲ୍ଲୀପଙ୍କ ମଧ୍ୟରେ ଲଢ଼େଇ ହେବ । ବିଜେପି ଦିଲ୍ଲୀପଙ୍କୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିଛି । ତତସହିତ ଦିଲ୍ଲୀପ ସୁନିଶ୍ଚିତ ରାଜ୍ୟସଭାକୁ ଯିବେ ବୋଲି ଦୃଢ଼ କଣ୍ଠରେ ମନମୋହନ କହିଛନ୍ତି ।
ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ୧୦ଟି ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ପଦ ଖାଲି ହେବ । ଓଡ଼ିଶାରୁ ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି ।