ଭୁୁବନେଶ୍ୱର: ହୋଲି ପର୍ବରେ ବେଶ ଚଳଚଞ୍ଚଳ ହୋଇ ଉଠିଛି ଓଡିଶା ରାଜନୀତି । ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ଅଙ୍କ କଷା । ଏହା ମଧ୍ୟରେ ବୁଧବାର ହୋଲି ଦିନ ପୁରୁଖା ନେତା ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଦିଲୀପ ରାୟ । ଏ ନେଇ ସୂଚନା ଦେଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାରିବାରିକ ସଂପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଥିବା କହିଛନ୍ତି ଅରବିନ୍ଦ ।
ଅରବିନ୍ଦ କହିଛନ୍ତି, ଏହି ସମୟରେ ଉଭୟଙ୍କ ମଧ୍ୟରେ ରାଜନୈତିକ କିମ୍ବା ରାଜ୍ୟସଭା ନିର୍ବାଚନ ନେଇ କୌଣସି ଆଲୋଚନା ହୋଇ ନାହିଁ । ୪ରୁ ୫ ପ୍ରାର୍ଥୀ ହେଲା, ୬ବି ହୋଇପାରେ ବୋଲି ଅରବିନ୍ଦ କହିଛନ୍ତି । ସେ କହିଛନ୍ତି ଦିଲୀପ ରାୟ ଯୋଗ୍ୟ ପ୍ରାର୍ଥୀ । ତାଙ୍କର ରାଜନୀତିରେ ୪୦ ବର୍ଷର ଅଭିଜ୍ଞତା ରହିଛି । ତେବେ କାହାକୁ ସମର୍ଥନ ଦେବେ । ଏହାର ଉତ୍ତରରେ ଗତକାଲି ଅରବିନ୍ଦ ଗଣମାଧ୍ୟମକୁ କହିଥିଲେ ଯେ, ୫ ତାରିଖ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ନିଷ୍ପତ୍ତି ନେବେ କାହାକୁ ଭୋଟ୍ ଦେବେ ।
ତେବେ ବିଜୟ ମହାପାତ୍ରଙ୍କୁ ଦିଲୀପ ରାୟ ଭେଟିବା ଏଥିରୁ ସଙ୍କେତ ମିଳୁଛି ଯେ, ପାଟକୁରା ବିଧାୟକ ତଥା ବିଜୟଙ୍କ ଅରବିନ୍ଦ ମହାପାତ୍ର ଦିଲୀପଙ୍କୁ ସମର୍ଥନ ଦେଇ ପାରନ୍ତି । ଏହା ସ୍ୱାଭାବିକ କଥା । କାରଣ ରାଜନୀତିରେ ପାଦ ଦେବା ଦିନଠୁ ବିଜୟ ମହାପାତ୍ର ଓ ଦିଲୀପ ରାୟ ଘନିଷ୍ଠ ବନ୍ଧୁ ରହିବା ସହ ପାରିବାରିକ ସଂପର୍କ ରହିଛି ।
ସୂଚନାଯୋଗ୍ୟ, ଆଜି ବିଜେପି ଓ ବିଜେଡି ଉଭୟ ଚତୁର୍ଥ ଆସନ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମନ ଦିଲୀପ ରାୟ ଶତପ୍ରତିଶତ ଜିତିବେ ବୋଲି କହିଛନ୍ତି । ତାଙ୍କୁ ଦଳ ସବୁ ପ୍ରକାରର ସମର୍ଥନ ଦେବ । ଅନ୍ୟପଟେ ସଂତୃପ୍ତ ମିଶ୍ର କହିଛନ୍ତି ଯେ, ଆମେ ଦୁଇଟି ଆସନ ଜିତିବୁ । ଏଥିରେ ସନ୍ଦେହ ନାହିଁ ।
ଚତୁର୍ଥ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଓ ବିଜେଡି-କଂଗ୍ରେସ ସମର୍ଥିତ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଉଲ୍ଲେଖନୀୟ ଦିଲୀପ ରାୟ ୨୦୦୨ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ନିର୍ବାଚନ ଜିତିଥିଲେ । ଗତକାଲି ଦିଲୀପ କହିଥିଲେ, ଯଦି ୨୦୦୨ରେ ସେ ୩୦ ଆସନ ଯୋଗାଡ କରି ପାରିଥିଲେ ତେବେ ୮ଟି ସିଟ୍ କାହିଁକି ପାରିବେନି ।
ସୂଚନାଯୋଗ୍ୟ, ଗତକାଲି ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଓଡିଶାରୁ ୪ଟି ଖାଲି ପଡୁଥିବା ଆସନ ମଧ୍ୟରୁ ପ୍ରଥମ ଦୁଇଟି ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ରାଜ୍ୟସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ଦଳ ଚତୁର୍ଥ ଆସନ ପାଇଁ ବଡ ଗେମ ଖେଳିଛି । ବିଜେଡି ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ବିରେଧୀଙ୍କୁ ଅଙ୍କ ବିଗାଡିବା ପାଇଁ ଅଭିଜ୍ଞ ଓ ପୁରୁଖା ନେତା ଦିଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ବିଜେଡି ତୃତୀୟ ସିଟ୍ ପାଇଁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଓ କଂଗ୍ରେସ ଦତ୍ତେଶ୍ୱରଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ଏବେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେବାକୁ ଯାଉଛି ।