କୋଲକାତା: ୨୦୨୬ ଟି-୨୦ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ । ଏହି ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଦୁଇ ଟିମ୍ ବେଶ ଶକ୍ତିଶାଳୀ ଏବଂ ସନ୍ତୁଳିତ । ମାତ୍ର ପ୍ରଥମେ ସେମିରେ ଦକ୍ଷିଣ ଆଫ୍ରିକା ନୁହେଁ ନ୍ୟୁଜିଲାଣ୍ଡ ବଡ ଓଲଟ ପାଲଟ କରିପାରେ ।
ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅଜୟ ରହି ଚାମ୍ପିଅନ ହେବାର ପ୍ରବଳ ଦାବିଦାର ନଜର ଆସୁଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଏହା ପୂର୍ବରୁ ଦଳ କେବେ ବି ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାଠୁ ଜିତି ନାହିଁ । କିନ୍ତୁ ଏହା ସେତେ ସହଜ ହେବ ନାହିଁ । କାରଣ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରେ ଦମଦାର ଫର୍ମରେ ରହିଛି ।
ଦୀର୍ଘ ୧୯ ବର୍ଷ ହେବ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପଲ୍ଲା ସର୍ବଦା ଭାରି ରହି ଆସିଛି । ତେଣୁ ମିଚେଲ୍ ସାଣ୍ଟନରଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ବିଜୟ ମରୁଡିର ଅନ୍ତ ଘଟାଇବାକୁ ପୂରା ଉଦ୍ୟମ କରିବ । ତେଣୁ ଆଜିର ମ୍ୟାଚ୍ ବେଶ ରୋଚକ ହୋଇପାରେ ।
ହେଡ ଟୁ ହେଡ୍ ରେକର୍ଡ
ଅନ୍ତର୍ଜାତୀୟ ଟି-୨୦ରେ ଦୁଇ ଦଳ ମଧ୍ୟରେ ମୋଟ୍ ୧୯ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୧୨ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ସାତ ଥର ଜିତିଛି । ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ । ହେଲେ ଦକ୍ଷିଣ ଆଫ୍ରିକା ସହଜରେ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ତେବେ ଦେଖିବାକୁ ବାକି ରହିଲା ଚଳିତ ବିଶ୍ୱକପରେ କେଉଁ ଦଳ ପ୍ରଥମେ ଫାଇନାଲରେ ପ୍ରବେଶ କରୁଛି ।