ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳିଛି। ଏହି ପର୍ବ ଲୋକଙ୍କ ମଧ୍ୟରେ ଥିବା ଭେଦଭାବ ଓ ତିକ୍ତତାକୁ ଦୂର କରି ଭାଇଚାରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ପୁରୁଣା ଶତ୍ରୁତା ଭୁଲି ବନ୍ଧୁତାର ହାତ ବଢ଼ାଇଥାନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ସମସ୍ତେ ହୋଲିର ଶୁଭେଛା ଜଣାଉଛନ୍ତି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି।
ହୋଲି ପାଳନର ପୌରାଣିକ କଥାବସ୍ତୁ :
ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମର ପ୍ରତୀକ ଭାବେ ମଧ୍ୟ ହୋଲିକୁ ପାଳନ କରାଯାଏ। ବିଶେଷ କରି ମଥୁରା ଓ ବୃନ୍ଦାବନରେ ଏହି ପର୍ବର ଏକ ନିଆରା ପରମ୍ପରା ଦେଖିବାକୁ ମିଳେ। ସାରାଂଶରେ କହିବାକୁ ଗଲେ, ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ସତ୍ୟର ବିଜୟର ଏକ ମହାନ ପର୍ବ। ଏହିଦିନକୁ ନିଜ ନିଜ ଭିତରେ ଥିବା ଆକ୍ରୋଶକୁ ଭୁଲି ସମସ୍ତେ ମିଳିମିଶି ହୋଲି ପରି ମହାନ ପର୍ବକୁ ପାଳନ କରିଥାନ୍ତି।
ଏପରିକି ହୋଲି ପାଳନର ସବୁଠାରୁ ପ୍ରମୁଖ କାରଣ ହେଉଛି ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିତା ହିରଣ୍ୟକଶ୍ୟପଙ୍କ କାହାଣୀ। ପୌରାଣିକ କଥା ଅନୁସାରେ, ଅସୁର ରାଜା ହିରଣ୍ୟକଶ୍ୟପ ନିଜକୁ ଭଗବାନ ମାନୁଥିଲେ ଏବଂ ସମସ୍ତେ ତାଙ୍କୁ ପୂଜା କରନ୍ତୁ ବୋଲି ଚାହୁଁଥିଲେ। ମାତ୍ର ତାଙ୍କ ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ଏଥିରେ କ୍ରୋଧିତ ହୋଇ ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଶେଷରେ ସେ ନିଜ ଭଉଣୀ ହୋଲିକାଙ୍କ ସାହାଯ୍ୟ ନେଇଥିଲେ। ହୋଲିକାଙ୍କ ପାଖରେ ଏକ ଏଭଳି ବସ୍ତ୍ର ଥିଲା, ଯାହାକୁ ପିନ୍ଧିଲେ ନିଆଁ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ଧରି ନିଆଁରେ ବସିଥିଲେ, ମାତ୍ର ଭଗବାନଙ୍କ କୃପାରୁ ପ୍ରହ୍ଲାଦ ରକ୍ଷା ପାଇଗଲେ ଏବଂ ହୋଲିକା ସେହି ନିଆଁରେ ଜଳି ପାଉଁଶ ହୋଇଗଲେ। ଏହି ଘଟଣାର ସ୍ମୃତିରେ ହୋଲି ପୂର୍ବ ରାତିରେ ହୋଲିକା ଦହନ କରାଯାଏ।
ଅଧିକ ପଢନ୍ତୁ ; ଆଜି ରାତିରେ ମହାପ୍ରଭୁଙ୍କ ସୁନାବେଶ