ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ ବିଜେପି ସଂସଦୀୟ ବ୍ୟାପାର କମିଟି ମୋହର ମାରିଛି । ଆସନ୍ତା ଗୁରୁବାର ଉଭୟ ନାମାଙ୍କନ ଭରିବେ । ସେହିପରି ତୃତୀୟ ପ୍ରାର୍ଥୀଙ୍କ ନାମ ଏ ଯାଏଁ ଘୋଷଣା କରାଯାଇନାହିଁ । ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୬ଟି ରାଜ୍ୟରୁ ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିହାର, ଆସାମ, ଛତିଶଗଡ଼, ହରିୟାଣା, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ବିଜେପି ପ୍ରାର୍ଥୀ ଦେଇଛନ୍ତି । ବିହାରରୁ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବିନଙ୍କୁ ଟିକେଟ୍ ମିଳିଛି । ସେହିପରି ଶିବେଶ କୁମାର ମଧ୍ୟ ବିହାରରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଆସାମରୁ ତେରାସ ଗୋୱାଲ୍ଲା ଓ ଜୋଗେନ୍ ମୋହନ, ଛତିଶଗଡ଼ରୁ ଶ୍ରୀମତୀ ଲକ୍ଷ୍ମୀ ବର୍ମା, ହରିୟାଣାରୁ ସଞ୍ଜୟ ଭାଟିଆ, ଓଡ଼ିଶାରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାର ଏବଂ ପଶ୍ଚିମବଙ୍ଗରୁ ରାହୁଲ ସିହ୍ନାଙ୍କୁ ଟିକେଟ୍ ମିଳିଛି ।
ଚାରି ଚାରି ଥର ସଭାପତି ଆସନରେ ବସିଥିବା ମନମୋହନ ସାମଲ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ । ଏହାପରେ ୨୦୦୦-୨୦୦୪ ଯାଏଁ ସେ ପ୍ରଥମଥର ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହି ସମୟରେ ବିଜେଡ଼ି-ବିଜେପି ମେଣ୍ଟ ହୋଇଥିଲା । ସେତେବେଳେ ଓଡ଼ିଶାରେ ମେଣ୍ଟ ସରକାର ଶାସନ କରିଥିଲା । ୨୦୦୦ ମସିହାରେ ମନମୋହନ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଭଦ୍ରକ ଧାମନଗର ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । ସେ ରାଜସ୍ୱ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ୨୪ରେ ସମୀର ମହାନ୍ତିଙ୍କ ପରେ ମନମୋହନ ତୃତୀୟ ଥର ପାଇଁ ସଭାପତି ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମନମୋହନଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡ଼ି ସରକାରକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା । ଯାହାକି ଦଳ ପାଇଁ ଏକ ବଡ଼ ସଫଳତା ଥିଲା ।
ସେହିପରି ସୁଜିତଙ୍କ ରାଜସଭା ଯାତ୍ରା ମଧ୍ୟ ଜାରି ରହିଛି । ସୁଜିତ ପ୍ରଥମେ ବିଜେଡ଼ିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ଇସ୍ତଫା ସେ ଇସ୍ତଫା ଦେଇଥିଲେ । ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭାରୁ ସୁଜିତ କୁମାର ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ପୁନର୍ବାର ସୁଜିତଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସୁଜିତ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ନୂଆପଡ଼ା ଉପନିର୍ବାଚନ ସମୟରେ ସୁଜିତ ବଡ଼ ରଣନୈତିକ ଭୂମିକା ଗ୍ରହଣ କରିଥିଲେ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପିରେ ସାମିଲ କରିବାରେ ସୁଜିତ ବଡ଼ ହାତ ରହିଥିଲା । ତେଣୁ ସୁଜିତଙ୍କ ପାଇଁ ଦଳର ଏହା ନୂଆପଡ଼ା ଉପନିର୍ବାଚନ ଉପହାର ବୋଲି ବିବେଚନା କରାଯାଉଛି ।