ଭୁବନେଶ୍ୱର: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ । ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ବିଜୁ ବାବୁ । ଆଜି ବି ସେ ଓଡ଼ିଶାବାସୀଙ୍କ ମନରେ ତାଙ୍କର ସ୍ମୃତି ତାଜା ହୋଇ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଅ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭା ପରିସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ବିଜୁ ବାବୁଙ୍କ ପୁରୀ ନାମ ବିଜୟାନନ୍ଦ ପଟ୍ଟନାୟକ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମ ନେଇଥିଲେ । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କର ତୃତୀୟ ସନ୍ତାନ ଥିଲେ । ସେ ଏକାଧାରାରେ ଜଣେ ଦକ୍ଷ ରାଜନୀତିଜ୍ଞ, ବିମାନ ଚାଳକ ଏବଂ ଫୁଟବଲ୍ ଖେଳାଳୀ ଥିଲେ । କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ସହିତ ଖେଳ ପ୍ରତି ତାଙ୍କର ବେଶ୍ ରୁଚି ରହିଥିଲା । ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ ।
ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଡାକୋଟା ବିମାନ ଚଳାଉଥିଲେ ।
ବିଜୁ ବାବୁ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୪୬ରେ ପ୍ରଥମ ଥର ପାଇଁ ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଏକାଧିକ ବାର ନିର୍ବାଚନ ଜିତିଛନ୍ତି ।
ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି, ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ସୈନିକ ସ୍କୁଲ, ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ସୁନାବେଡ଼ା ମିଗ୍ ବିମାନ କାରଖାନା, ପାରାଦ୍ୱୀପ ବନ୍ଦର, ଚୌଦ୍ୱାର ଓଡ଼ିଶା ବୟନଶିଳ୍ପ କଳ, ରାଉରକେଲା ଇସ୍ପାତ କଳ ଓ ତାଳଚେର ଥର୍ମାଲ ପ୍ରକଳ୍ପ ଇତ୍ୟାଦି ତାଙ୍କର ଅବଦାନ ଅଟେ ।