ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଶେଷ ଦିନରେ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି । ଗୁରୁବାର ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ସିଟ୍ ପାଇଁ କମନ୍ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଂତୃପ୍ତ ଦୁଇଟି ଏବଂ ଦତ୍ତେଶ୍ୱର ହୋତା ତିନୋଟି ଲେଖାଏଁ ସେଟ୍ ପ୍ରାର୍ଥୀପତ୍ର ଭରିଛନ୍ତି ।
ନାମାଙ୍କନ ଦାଖଲରେ ସମୟରେ ବିଧାନସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରିଟର୍ଣ୍ଣିଂଙ୍କ ଅଫିସରଙ୍କ ସମ୍ମୁଖ ଦୁଇ ବିରୋଧୀ ଦଳର ମୁଖ୍ୟ ପାଖାପାଖି ବସିଥିଲେ । ବିରୋଧି ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ, ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ଦୁଇ ଦଳର ତମାମ ବିଧାୟକ ଗଣ ଉପସ୍ଥିତ ଥିଲେ । ପ୍ରଥମେ ସଂତୃପ୍ତ ଏବଂ ପରେ ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି ।
ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜୟ କାମନା କରିଛନ୍ତି । ଏହା ସହିତ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ସମୟ କହିବ ବୋଲି କହିଛନ୍ତି ନବୀନ । ସେହିପରି ସଂତୃପ୍ତ କହିଛନ୍ତି ଯେ ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି କିନ୍ତୁ ମତ ପାର୍ଥକ୍ୟ ରହିଛି । ସେ ଆଗାମୀ ଦିନରେ ସମସ୍ତ ବିଧାୟକମାନଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରିବେ । ତେବେ ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯେ ଗଣତନ୍ତ୍ରରେ ଅନେକ ଲୋକ ଲଢ଼ିବା ସ୍ୱାଗତ ଯୋଗ୍ୟ ।