ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମି ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ନ୍ୟୁଜିଲାଣ୍ଡ ପ୍ରଥମ ସେମି ଫାଇନାଲରେ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚି ସାରିଛି । ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରୁ ଯିଏ ଫାଇନାଲରେ ପହଞ୍ଚିବ ସେ ଇତିହାସ ରଚିବ । ଭାରତ ଓ ଇଂଲଣ୍ଡ ଯୁଗ୍ମ ଭାବେ ସବୁଠୁ ଅଧିକ ଫାଇନାଲ୍ ଖେଳିଥିବା ଦଳ । ତେବେ ଆଜିର ମୁକାବିଲା ଯିଏ ଜିତିବ ସେ ଇତିହାସ ରଚିବ ।
ଭାରତ ଷଷ୍ଠ ଥର ଟି-୨୦ ବିଶ୍ୱକପର ସେମି ଫାଇନାଲ୍ ଖେଳିବ । ଟି-୨୦ ବିଶ୍ୱକପ୍ ଇତିହାସରେ ସବୁଠୁ ଅଧିକ ଥର ଫାଇନାଲରେ ପହଞ୍ଚିଥିବା ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ଏହି ରେକର୍ଡ ଚାରୋଟି ଟିମ ନାଁରେ ରହିଛି । ଏହି ୪ଟି ଟିମ୍ ଭାରତ, ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା । ଏହି ଦଳଗୁଡିକ ଟି-୨୦ ବିଶ୍ୱକପ ଫାଇନାଲ୍ ତିନି ଥର ଖେଳିଛନ୍ତି ।
ଭାରତ ୨୦୦୭, ୨୦୧୪ ଓ ୨୦୨୪ରେ ଫାଇନାଲରେ ପହଞ୍ଚିଥିଲେ । ଇଂଲଣ୍ଡ ୨୦୧୦, ୨୦୧୬ ଓ ୨୦୨୨ରେ ଫାଇନାଲ୍ ଖେଳିଥିଲା । ପାକିସ୍ତାନ ୨୦୦୭, ୨୦୦୯ ଓ ୨୦୨୨ରେ ଫାଇନାଲ୍ ଖେଳିଥିଲା । ଶ୍ରୀଲଙ୍କା ୨୦୦୯, ୨୦୧୨ ଓ ୨୦୧୪ରେ ଟି-୨୦ ବିଶ୍ୱକପର ଫାଇନାଲ୍ ଖେଳିଥିଲା ।
ଏଥର ସୁପର-୮ରୁ ବାଦ୍ ପଡିଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା । ଅନ୍ୟପଟେ ଭାରତ ଓ ଇଂଲଣ୍ଡ ଆଜି ଦ୍ୱିତୀୟ ସେମିରେ ମୁହାଁମୁହିଁ ହେବେ । ଲଗାତାର ତୃତୀୟ ଥର ଟି-୨୦ ବିଶ୍ୱକପର ସେମିରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ୨୦୨୨ରେ ଇଂଲଣ୍ଡ ଭାରତକୁ ସେମିରେ ହରାଇଥିଲା । ତେବେ ୨୦୨୪ର ସେମିରେ ଭାରତ ଇଂରେଜକୁ ହରାଇଥିଲା ।
Also read: ଫିନ ଆଲେନଙ୍କ ଶତକ, ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ, ଦ. ଆଫ୍ରିକାକୁ ହରାଇ T-20 World Cup ଫାଇନାଲରେ