କୋଲକାତା: ୨୦୨୬ ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଫିନ୍ ଆଲେନ୍ ଐତିହାସିକ ଶତକ ହାସଲ କରି ନ୍ୟୁଜିଲାଣ୍ଡକୁ ରେକର୍ଡ ବିଜୟୀ କରାଇଛନ୍ତି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଚଳିତ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ପରାଜୟ ସହିତ ଦକ୍ଷିଣ ଆଫ୍ରିକାର ଟି୨୦ ବିଶ୍ୱକପ ଜିତିବାର ସ୍ୱପ୍ନ ପୁଣି ଥରେ ଚୂରମାର ହୋଇଛି ।
୨୦୨୬ ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୯ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ୧୭୩ ରନ କରି ମ୍ୟାଚ୍ ଏକତରଫା ଭାବେ ଜିତି ନେଇଛି । ଫିଲ୍ ଆଲେନ୍ ନ୍ୟୁଜିଲାଣ୍ଡ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ସେ ୩୩ ବଲ୍ ରୁ ଅପରାଜିତ ୧୦୦ ରନ କରି ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି । ତାଙ୍କର ଏହି ଇନିଂସରେ ୧୦ ଚୌକା ଏବଂ ୮ ଛକା ସାମିଲ । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି।
ଆଲେନ୍ ବ୍ୟତୀତ, ଓପନିଂ ବ୍ୟାଟର ଟିମ୍ ସେଇଫର୍ଟ ମଧ୍ୟ କିୱି ଦଳ ପାଇଁ ଏକ ଚମତ୍କାର ଇନିଂସ ଖେଳିଥିଲେ। ସିଫର୍ଟ ୩୩ ବଲ୍ ରୁ ୭ ଚୌକା ଏବଂ ୨ ଛକା ସହାୟତାରେ ୫୮ ରନ କରିଥିଲେ। ଦୁଇ ଓପରନ ପ୍ରଥମ ୱିକେଟ ପାଇଁ ୫୫ ବଲ୍ ରେ ୧୧୭ ରନର ପାର୍ଟନରସିପ୍ କରିଥିଲେ। ତା’ପରେ ରଚିନ୍ ରବିନ୍ଦ୍ର ଏବଂ ଫିନ୍ ଆଲେନ୍ ୨୨ ବଲରେ ଦ୍ୱିତୀୟ ୱିକେଟ ପାଇଁ ୫୬ଞ୍ଚ ରନ୍ ଭାଗୀଦାରୀ କରି ଦଳକୁ ୪୩ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ।
ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ
ଉଲ୍ଲେଖନୀୟ ଫିନ୍ ଆଲେନ୍ ଟି୨୦ ବିଶ୍ୱକପ୍ ଇତିହାସରେ ଦ୍ରୁତତମ ଶତକ ପୂରଣ କରିଥିଲେ। ପୂର୍ବରୁ, ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ଥିଲା। ଗେଲ୍ ୨୦୧୬ ଟି୨୦ ଟୁର୍ଣ୍ଣାମେଣ୍ଟରେ ୪୭ ବଲ୍ ରେ ତାଙ୍କର ଶତକ ପୂରଣ କରିଥିଲେ।
ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗରେ ସମ୍ପୂର୍ଣ୍ଣ ଫ୍ଲପ୍
ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ରନ୍ କରିଥିଲା। ଦଳ ୭୭ ରନ୍ ରେ ୫ ୱିକେଟ୍ ହରାଇ ଏହି ସ୍କୋର ହାସଲ କରିଥିଲା। ଆଶା କରାଯାଉଥିଲା ମ୍ୟାଚ୍ ରୋଚକ ହେବ । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହାକୁ ଏକତରଫା ଭାବେ ଜିତି ନେଇଛି ।
ରନ ଚେଜ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ବିଫଳ ହୋଇଥିଲେ। କିୱି କେବଳ ଗୋଟିଏ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛନ୍ତି । ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ସବୁଠାରୁ ମହଙ୍ଗା ବୋଲର ହୋଇଥିଲେ, ଯିଏ ୨.୫ ଓଭରରେ ୧୮.୭୦ ଇକୋନୋମି ରେଟ୍ ସହିତ ୫୩ ରନ୍ ଦେଇଥିଲେ। କର୍ବିନ୍ ବୋଶ୍ ମଧ୍ୟ ୨ ଓଭରରେ ୩୫ ରନ୍ ଦେଇଥିଲେ। କେଶବ ମହାରାଜ ୩ ଓଭରରେ ୩୩ ରନ୍, ଲୁଙ୍ଗି ଏନଡିଗି ୨ ଓଭରରେ ୨୨ ରନ୍ ଏବଂ କାଗିସୋ ରାବାଡା ୩ ଓଭରରେ ୨୮ ରନ୍ ଦେଇଥିଲେ।