ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ନେଇ ଆସିଛି ବଡ଼ ଅଭିଯୋଗ । ମୃତ ଯୁବକ ହେଲେ ପୁରୁଣାକଟକ ଅଞ୍ଚଳର ସୁବ୍ରତ ନାୟକ(୨୩) । ପରିବାର ଓ ସମ୍ପର୍କୀୟ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ।
ଅଭିଯୋଗ ମୁତାବକ, ସୁବ୍ରତଙ୍କ ହାତ କୁଣ୍ଡେଇ ହେଉଥିଲା। ସେଥିପାଇଁ ସେ ଆଜି ସକାଳେ ପୁରୁଣା କଟକ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ଇଞ୍ଜେକ୍ସନ ନେବାକୁ କହିଥିଲେ । ଡାକ୍ତରଖାନାର ଜଣେ ନର୍ସ ତାଙ୍କୁ ଇଞ୍ଜେକସନ ଦେଇଥିଲେ। ଏହା ପରେ ସେ ଅଚାନକ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ଖବର ଦିଆଯିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭୁଲ ଇଞ୍ଜେକ୍ସନ ଯୋଗୁଁ ସୁବ୍ରତଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକେ ମୃତ ଦେହକୁ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗିର ଏନଏଚ୍-୫୭ ଅବରୋଧ କରିବା ସହିତ ହସ୍ପିଟାଲ ଘେରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ସ୍ଥାନୀୟ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।