ପୁରୀ: ଆଜି ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଏକ ଚିଲ ପକ୍ଷୀ ବସିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା କରାଯାଉଛି । ଏହା ମହାପ୍ରଭୁଙ୍କ ଏକ ବଡ଼ ଅଶୁଭ ସଂକେତ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା କରିଛନ୍ତି ।
ଆଜି ଅପରାହ୍ନ ସମୟରେ ଏକ ଚିଲ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡ଼ୁଥିଲା। କିଛି ସମୟ ବୁଲିବା ପରେ ଚିଲଟି ପତିତପାବନ ବାନା ଉପରେ ବସିଥିଲା। ଦୀର୍ଘ ସମୟ ବସିବା ପରେ ପୁଣି ଉଡ଼ିଯାଇଥିଲା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଶତ୍ରୁ ପକ୍ଷର ଆକ୍ରମଣ, ଗୃହ ଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତିବିଶେଷ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି।