ପାରାଦୀପ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପାରାଦୀପ ଇଫ୍କୋ ପରିସରରେ ଏକ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏଥିସହ ସେଠାରେ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମବାୟ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଜଗତସିଂହପୁର ସାଂସଦ ପ୍ରମୁଖ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ।
୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଦୈନିକ ୨ ହଜାର ଟନ୍ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନ କରିବ। ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ୫୦୦ ମିଲିୟନ ମେଟ୍ରିକ ଟନ କୋଇଲା ବ୍ୟବହାର କମିଯିବ। ଏପରିକି ବିଦେଶରୁ ଆମଦାନୀ କରିବାକୁ ପଡୁଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ ସଲଫ୍ୟୁରିକ୍ ଏସିଡ୍ ଆମଦାନୀ ବାବଦ ଖର୍ଚ୍ଚରୁ କ୍ଷାନ୍ତ ମିଳିବ ବୋଲି କୁହାଯାଉଛି।
ପାରାଦୀପରେ ଶାହ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ନିଜର ଭାଷଣ ଆରମ୍ଭ କରିଥିଲେ, ଯେଉଁଭଳି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଠିକ ସେହିଭଳି ଗୁଜୁରାଟର କୋଣ ଅନୁକୋଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି କହିଥିଲେ। ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛି, ଓଡିଶା ବାସୀ ଯେଉଁଭଳି ଡବଲ ଇଞ୍ଜିନ ସରକାର ଗଠନରେ ସହାୟକ ହୋଇଛନ୍ତି ଠିକ ସେହିଭଳି ଆଗାମୀ ଦିନରେ ଓଡିଶା ବିକଶିତ ଭାରତର ପ୍ରମୁଖ ରାଜ୍ୟ ପାଲଟିବ। ଓଡିଶା ପ୍ରଚୁର ଖଣିଜ ସମ୍ପତ୍ତି ର ଅଧିକାରୀ ହେଲେ ଓଡିଶାର ଲୋକ ଦୁଃଖ ଦୁର୍ଦଶାରେ କାଳାତିପାତ କରୁଥିଲେ।୨୦୨୪ରେ ଓଡିଶା ବାସୀ ଆମ ଦଳକୁ ଆଶୀର୍ବାଦ କରିଛନ୍ତି, ଯାହାର ଋଣ ସୁଝିବାର ସମୟ ଆସିଛି ବୋଲି କହିଛନ୍ତି।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଇଫକୋ ଆଜି ଭାରତବର୍ଷର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୦୫ରେ ୨୫୦୦ କୋଟି ଟଙ୍କାରେ କିଣିଥିବା ପ୍ରକଳ୍ପ ଆଜି ମହାମେରୁ ପାଲଟିଛି। ଇଫକୋ ସଲଫ୍ୟୁରିକ ଏସିଡ ନିର୍ମାଣ ଦ୍ୱାରା ସାରା ଭାରତବର୍ଷରେ ଏକ ସ୍ୱରୋଜଗାରର ମାଧ୍ୟମ ପାଲଟିବ। ଇଫକୋ ନାନୋ ୟୁରିଆ, ନାନୋ ଡ଼ିଏପି, ରାସାୟନିକ ସାରର ପ୍ରୟୋଗକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ମୃତ୍ତିକା ଉର୍ବର ରଖିବାରେ ସହାୟକ ପାଲଟିଛି। ଇଫକୋ ଆଜି ଭାରତ ସହିତ ବିଶ୍ୱର ଏକାଧିକ ରାଷ୍ଟ୍ରକୁ ରପ୍ତାନି କରୁଛି। ଇଫକୋ ଯାହା ରୋଜଗାର କରୁଛି ତାହା ଦେଶର ପାଞ୍ଚହଜାର କୋଟି କୃଷକ ମାନଙ୍କ ହିତରେ କାର୍ଯ୍ୟକାରୀ କରୁଛି। ଆସନ୍ତା ଦିନରେ ସମବାୟ କ୍ଷେତ୍ରରେ ଓଡିଶା କୃଷକ,ଗ୍ରାମୀଣ ଲୋକଙ୍କ ପାଇଁ ଏକ ବୃହତ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ନେଇ କହିଛନ୍ତି ଅମିତ ଶାହ।
ଏଥିସହ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ ମଧ୍ୟ କରିଥିଲେ ଶାହ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ। ରାଜ୍ୟରେ ସମବାୟ କ୍ଷେତ୍ରରେ ନୂଆ ବିପ୍ଲବ ଆସିବାକୁ ଯାଉଛି।
ଅଧିକ ପଢନ୍ତୁ: ମୁଣ୍ଡଳିରେ ସିଆଇଏସଏଫ୍ ର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଶାହ; କହିଲେ,'ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF'