ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ୨୪ ଘଣ୍ଟାରେ ୨ ଜଣ ନାବାଳିକାଙ୍କ ସମେତ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏନେଇ ସମାଜିକ ଗଣମାଧ୍ୟମରେ ଭୁବନେଶ୍ୱର ଡିସିପିଙ୍କ ଅଫିସିଆଲ ହ୍ୟାଣ୍ଡଲରୁ ଆଜି (ଶୁକ୍ରବାର) ପୋଷ୍ଟର ଜାରି କରାଯାଇଛି। ପୋଲିସ ଟିମ୍ ନାବାଳିକାଦ୍ୱୟଙ୍କୁ ଖୋଜା ଖୋଜି ଜାରି ରଖିଛି। ଯିଏ ସୂଚନା ଦେବ, ତାକୁ ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ଏନେଇ ପୋଲିସ ହେଲ୍ପ ଲାଇନ ନମ୍ବର ଜାରି କରିଛି। ନିଖୋଜ ପିଲାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବା ନେଇ ମଧ୍ୟ ଘୋଷଣା କରାଯାଇଛି।
ମୈତ୍ରୀବିହାର ଥାନା ଅନ୍ତର୍ଗତ ସାଲିଆ ସାହିରେ ନାବାଳିକା ଦ୍ୱୟ ଗତକାଲି (ଗୁରୁବାର) ରାତିରେ ଘରୁ କେଉଁଆଡ଼େ ପଳାଇ ଯାଇଛନ୍ତି। ଦୁଇ ନାବାଳିକା ହେଲେ ସାଲିଆ ସାହି ତାରିଣୀ ନଗରର ସନ୍ତୋଷ ଦେହୁରୀଙ୍କ ଝିଅ ସୁମିତ୍ରା ଦେହୁରୀ ଓ ହାତିଆଶୁଣି ନଗରର ଶ୍ରୀଧର ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ। ନିଖୋଜ ଘଟଣାରେ ଖବର ଦେଲେ ୨୫ ହଜାର ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।
ପୋଷ୍ଟରରେ କଣ କୁହାଯାଇଛି?
ଭୁବନେଶ୍ୱରର ସାଲିଆସାହିର ଦୁଇ ନାବାଳିକା ସୁମିତ୍ରା ଏବଂ ଶୁଭଶ୍ରୀ ଘରୁ ବାହାରି ଯାଇ ଏପର୍ଯ୍ୟନ୍ତ ଫେରି ନାହାନ୍ତି ବୋଲି ପୋଷ୍ଟରରେ କୁହାଯାଇଛି। ଏନେଇ (୯୪୩୭୧୨୩୪୯୬ / ୯୦୯୦୨୮୯୨୩୦/ ୯୭୭୭୯୨୮୯୧୧) ଖବର ଦେବାକୁ କୁହାଯାଇଛି। ସନ୍ଧାନ ଖବର ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ କୁହାଯାଇଛି। ଏଥିଲାଗି ପୋଷ୍ଟର ଜରିଆରେ ଜନସାଧାରଣଙ୍କ ସାହାଯ୍ୟ ଲୋଡିଛି ପୋଲିସ।
ଅନ୍ୟପକ୍ଷରେ ୩ ଦିନ ତଳେ ଧଉଳି ପାହାଡ଼ ଅଞ୍ଚଳରେ ନିଖୋଜ ହୋଇଯାଇଥିବା ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କିଛି ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିଲା। ନିଖୋଜ ନାବାଳକ ହେଲେ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ଜ୍ୟୋଷ୍ନାମୟୀ ପ୍ରଧାନଙ୍କ ପୁଅ ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନ ସନ୍ଧ୍ୟାରେ ନିଖୋଜ ହୋଇଥିବା ବେଳେ ରାତି ଭିତରେ ତାଙ୍କୁ ନିକଟସ୍ଥ ଅଞ୍ଚଳରେ ଠାବ କରାଯାଇଥିଲା ବୋଲି ଧଉଳି ଥାନା ଅଧିକାରୀ ସ୍ମୃତିରଞ୍ଜନ ମହାନ୍ତି କହିଛନ୍ତି।