ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟରେ ଦୁନିଆର ଏକ ନମ୍ବର ବୋଲର ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ । ଆଉ ଏକ ନମ୍ବର ବ୍ୟାଟର ଅଭିଷେକ ଶର୍ମା । ହେଲେ ଏହି ଦୁଇ ନମ୍ବର ୱାନ ଖେଳାଳି ଏବେ ଭାରତୀୟ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ମ୍ୟାଚ୍ ହେବ ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ତାଙ୍କ ରହସ୍ୟମୟୀ ବୋଲିଂକୁ ଏବେ ସହଜରେ ପଢି ପାରୁଛନ୍ତି ବ୍ୟାଟର । ଫଳରେ ଚଳିତ ଟି-୨୦ ବିଶ୍ୱକପର ଗତ କିଛି ମ୍ୟାଚରେ ବହୁତ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ ।
ଯଦି ଦଳ ପ୍ରବନ୍ଧକ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଅନ୍ତି ତେବେ ତାହା ଭାରତୀୟ ପାଇଁ ଦୁର୍ବଳ ରଣନୀତି ସାବ୍ୟସ୍ତ ହୋଇପାରେ । ଟୁର୍ଣ୍ଣାମେଣ୍ଟର ସୁପର-୮ ପର୍ଯ୍ୟାୟ ପରଠୁ ତାଙ୍କର ଫର୍ମ ଲଗାତାର ଖସି ଚାଲିଛି । ଚକ୍ରବର୍ତ୍ତୀ ଟୁର୍ଣ୍ଣାମେଣ୍ଟର ଅନ୍ତିମ ପର୍ଯ୍ୟାୟରେ ଖରାପ ପ୍ରଦର୍ଶନ କରିବା ପରେ ନିଜ ମନରେ ଥିବା ଶଙ୍କାକୁ ଦୂର କରିବାର ଆବଶ୍ୟକତା ରହିଛି ।
ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚରେ ଚକ୍ରବର୍ତ୍ତୀ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଇଂଲଣ୍ଡ ବ୍ୟାଟର ଜାକବ ବେଥେଲ ତାଙ୍କୁ ଖୁବ୍ ପ୍ରହାର କରିଛନ୍ତି । ଫଳରେ ବରୁଣ ନିଜର ୪ ଓଭରରେ ୧୬ ଇକୋନୋମିରେ ୬୪ ରନ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ୍ ନେଇ ପାରିଥିଲେ ।
ଅକ୍ଷର ପଟେଲ୍ କହିଛନ୍ତି, ଆମେ ଚକ୍ରବର୍ତ୍ତୀଙ୍କ ବର୍ତ୍ତମାନ ସମସୟା ବିଷୟରେ ଆଲୋଚନା କରିଛୁ । ଆମେ ବର୍ତ୍ତମାନ ସମୟରେ ଅନେକ ନକଆଉଟ୍ ମ୍ୟାଚ୍ ଖେଳିଛୁ । ଏଥିପାଇଁ ସକରାତ୍ମକ ମାନସିକତା ରହିବା ବହୁତ ମହତ୍ୱପୂର୍ଣ୍ଣ । ମୁଁ ତାଙ୍କୁ ଏହା କହିଛି ଯେ, ଯେବେ ବଲରେ ରନ ବର୍ଷା ହୁଏ ତଥାପି ନିଜର ରଣନୀତି ବଦଳାଇବ ନାହିଁ ।
ବରୁଣ ସେମି ଫାଇନାଲ୍ ପୂର୍ବରୁ ନେଟରେ ଖୁବ୍ ଅଭ୍ୟାସ କରିଛନ୍ତି । ମାତ୍ର ପାୱାର ପ୍ଲେରେ ବୋଲିଂ କରିବା ପରେ ନିଜର ଲୟ ହାସଲ କରି ପାରି ନାହାନ୍ତି । ଇଂଲଣ୍ଡ ଚକ୍ରବର୍ତ୍ତୀଙ୍କ ପାଇଁ ପୂରା ପ୍ରସ୍ତୁତି କରି ରଖିଥିଲା । ବାମହାତୀ ବ୍ୟାଟର ଜାକବ ବେଥେଲ ତାଙ୍କୁ କୌଣସି ବି ସମୟରେ ଲୟ ହାସଲ କରିବାକୁ ଦେଇ ନ ଥିଲେ । ସେ ବରୁଣଙ୍କ ପ୍ରଥମ ଓଭରରେ ହିଁ ତିନି ଛକା ମାରିଥିଲେ । ସେ ଚକ୍ରବର୍ତ୍ତୀଙ୍କ ୧୩ ବଲରୁ ୪୨ ରନ ସଂଗ୍ରହ କରିଥିଲେ ।
ଏବେ ଦାବି ଉଠୁଛି ଯେ, ଫାଇନାଲ୍ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀଙ୍କୁ ବସାଇ ଷ୍ଟାର ବୋଲର କୁଲଦୀପ ଯାଦବଙ୍କୁ ଖେଳାଯାଉ । କାରଣ କୁଲଦୀପ ଯାଦବଙ୍କ ପରି ବୋଲର ଦଳର ସଂଯୋଜନାରେ ଫିଟ୍ ନ ହେବା କାରଣରୁ ଚୂଡାନ୍ତ ଏକାଦଶରେ ବାହାରେ ରହୁଛନ୍ତି । ଫାଇନାଲରେ ତାଙ୍କର ଅନୁଭବ ବେଶ କାମରେ ଆସିବ ବୋଲି କ୍ରିକେଟ୍ ସମୀକ୍ଷକ କହିଛନ୍ତି ।