ମୁମ୍ବାଇ: ନିଃଶ୍ଵାସ ଅଟକାଇ ଦେବା ପରି ମ୍ୟାଚରେ ବାଜି ମାରିଲା ଭାରତ। ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଦ୍ଵିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ଚଳିତ ଟି-୨୦ ବିଶ୍ଵକପର ଫାଇନାଲରେ ପହଞ୍ଚିଛି। ଏବେ ମାର୍ଚ୍ଚ ୮ରେ ଟାଇଟଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରିବ ସୂର୍ଯ୍ୟବାହିନୀ। ଜ୍ୟାକବ୍ ବେଥେଲ୍ ଏକ ଐତିହାସିକ ଶତକ ହାସଲ କରିଥିଲେ, କିନ୍ତୁ ଚତୁର୍ଥ ଥର ପାଇଁ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚି ପାରିନି। ଆଉ ଭାରତ ୨୫୩ ରନ କରିଥିଲେ ହେଁ ମାତ୍ର ୭ ରନରେ ମ୍ୟାଚ୍ ଜିତି ପାରିଛି। ଅର୍ଥାତ ଇଂଲଣ୍ଡ ଜାକବ ବେଥେଲଙ୍କ ଧୂଆଁଧାର ୧୦୫ ରନର ଶତକ ବଳରେ ୨୪୬ ରନ କରି ପାରିଛି। ପୂରା ମ୍ୟାଚ୍ରେ ମୋଟ ୪୯୯ ରନ ହୋଇଥିଲା। ଟି-୨୦ ବିଶ୍ଵକପ୍ ଇତିହାସରେ ଏହା ଭାରତର ଚତୁର୍ଥ ଫାଇନାଲ।
ଦୁଇଟି ଓଭର ମ୍ୟାଚ୍ ବଦଳାଇ ଦେଲା
୨୫୪ ରନର ରେକର୍ଡ ଟାର୍ଗେଟକୁ ପିଛା କରି, ଇଂଲଣ୍ଡ ୧୭ ଓଭରରେ ୨୦୯ ରନ କରିଥିଲା। ଶେଷ ତିନି ଓଭରରେ ସେମାନଙ୍କୁ ୪୫ ରନ କରିବାକୁ ପଡିଥିଲା। ଜ୍ୟାକବ୍ ବେଥେଲ୍ ଏବଂ ସାମ୍ କରନ୍ କ୍ରିଜରେ ଜମିଥିଲେ ଏବଂ ଇଂଲଣ୍ଡ ବିଜୟ ସମ୍ପୂର୍ଣ୍ଣ ସମ୍ଭବ ମନେ ହେଉଥିଲା।
ଏହି ସମୟରେ, ୧୮ତମ ଓଭରରେ, ଯଶପ୍ରୀତ ବୁମରାହ ତାଙ୍କ ସ୍ପେଲର ଶେଷ ଓଭର ପକାଇବାକୁ ଆସିଥିଲେ। ସେ କେବଳ ଛଅ ରନ ଦେଇଥିଲେ ଏବଂ ମ୍ୟାଚ୍ ଭାରତ ସପକ୍ଷରେ ଯାଇଥିଲା। ସମସ୍ତଙ୍କ ନଜର ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ଥିଲା। ହାର୍ଦ୍ଦିକ ୧୯ତମ ଓଭର ପକାଇବାକୁ ଆସିଥିଲେ, ଏବଂ ବେଥେଲ୍ ପ୍ରଥମ ବଲରେ ଏକ ଛକା ମାରିଥିଲେ। ଇଂଲଣ୍ଡ ମ୍ୟାଚ୍ ଜିତିବା ପରି ମନେ ହେଉଥିଲା, କିନ୍ତୁ ହାର୍ଦ୍ଦିକ ତୃତୀୟ ବଲରେ ସାମ୍ କରନଙ୍କୁ ଆଉଟ୍ କରିଥିଲେ। ଇଂଲଣ୍ଡକୁ ଏବେ ନଅଟି ବଲରୁ ୩୨ ରନ ଆବଶ୍ୟକ ଥିଲା।
ହାର୍ଦ୍ଦିକ ପରବର୍ତ୍ତୀ ତିନୋଟି ବଲରେ ମାତ୍ର ଦୁଇ ରନ ଦେଇଥିଲେ, ଏବଂ ଏହି ଓଭରରେ କେବଳ ନଅ ରନ ସଂଗ୍ରହ କରି ପାରିଥିଲା ଇଂଲଣ୍ଡ। ବୁମରା ଏବଂ ହାର୍ଦ୍ଦିକଙ୍କ ଦୁଇ ଓଭରରୁ ମାତ୍ର ୧୫ ରନ ଦେଇ ଇଂଲଣ୍ଡ ମ୍ୟାଚରୁ ସମ୍ପୂର୍ଣ୍ଣ ବାହାର ହୋଇଯାଇଥିଲା। ଶିବମ୍ ଦୁବେ ବାକି କାମ କରିଥିଲେ, ୨୦ତମ ଓଭରର ପ୍ରଥମ ବଲ୍ରେ ଜ୍ୟାକବ୍ ବେଥେଲ୍ଙ୍କୁ ୧୦୫ ରନ୍ରେ ଆଉଟ୍ କରିଥିଲେ।
ଇଂଲଣ୍ଡ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୪୬ ରନ୍ କରିପାରିଥିଲା। ଇଂଲଣ୍ଡର ସବୁଠାରୁ ସଫଳ ବ୍ୟାଟ୍ର ଥିଲେ ଜାକବ୍ ବେଥେଲ୍, ଯିଏ ସେମିଫାଇନାଲ୍ରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ କ୍ରିଜରେ ଥିବା ପର୍ଯ୍ୟନ୍ତ ଇଂଲଣ୍ଡର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ବେଥେଲ୍ ୪୮ ବଲ୍ରେ ୭ ଛକା ମାରି ୧୦୫ ରନ୍ କରିଥିଲେ। ଏହା ତାଙ୍କ ଟି୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ଥିଲା। ତଥାପି, ବେଥେଲ୍ଙ୍କ ଶତକ ସତ୍ତ୍ୱେ, ଇଂଲଣ୍ଡ ବିଜୟରୁ ବଞ୍ଚିତ ହୋଇଥିଲା। ଓ୍ଵିଲ ଜ୍ୟାକ୍ସ ୩୫ ରନ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ସବୁଠାରୁ ସଫଳ ବୋଲର ଥିଲେ। ସେ ୪ ଓଭରରେ ୩୮ ରନ ଦେଇ ୨ ଟି ୱିକେଟ ନେଇଥିଲେ। ବୁମରା ଶାଣିତ ବୋଲିଂ କରି ଗୋଟିଏ ଓ୍ଵିକେଟ୍ ନେଇଥିଲେ। ସେମିଫାଇନାଲରେ ଭାରତ ପକ୍ଷରୁ ୬ ଜଣ ବୋଲର ବୋଲିଂ କରି ୫ ଟି ୱିକେଟ ନେଇଥିଲେ।
ଭାରତ ଇନିଂସ
ଟସ୍ ଜିତିବା ପରେ, ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରି, ଭାରତୀୟ ଦଳ ୨୦ ଓଭରରେ ୨୫୩ ରନ କରିଥିଲା, ଯାହା ଟି-20 ବିଶ୍ୱକପ୍ ନକଆଉଟରେ ସର୍ବାଧିକ ସ୍କୋର। ସଞ୍ଜୁ ସାମସନ ଦମଦାର ଅର୍ଦ୍ଧଶତକ ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲା। ସଞ୍ଜୁ ସାମସନ ୨୧୧ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ୪୨ ବଲରୁ ୮୯ ରନ କରିଥିଲେ, ଯେଉଁଥିରେ ସାତଟି ଛକା ଥିଲା।
ଶିବମ୍ ଦୁବେ ୨୫ବଲରୁ ସର୍ବାଧିକ ୪୩ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରୁ ୨୭ ରନ କରିଥିବା ବେଳେ ତିଲକ ବର୍ମା ୭ ବଲରୁ ୨୧ ରନ କରିଥିଲେ। ଚତୁର୍ଥ ଥର ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପର ଫାଇନାଲରେ ଖେଳିବ। ଏହା ସେମାନଙ୍କର ଲଗାତାର ଦ୍ୱିତୀୟ ଫାଇନାଲ ମଧ୍ୟ ହେବ।