ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ସଂପ୍ରତି ବିବାଦ ଘନେଇବାରେ ଲାଗିଛି। ଉଭୟଙ୍କ ମଧ୍ୟରେ ଏହି ଶୀତଳ ଯୁଦ୍ଧ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। । ଯଦିଓ ଏଲନ ମସ୍କ ନିଜର ଆଭିମୁଖ୍ୟ ବଦଳାଇ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏବେ ଡୋନାଲ୍ଡ ଟ୍ରମ୍ପ ଏହା ଚାହାନ୍ତି ନାହିଁ। ସେ ମସ୍କଙ୍କୁ ବହୁତ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି।
ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ମସ୍କ ତାଙ୍କ ଟିକସ ହ୍ରାସ ବିଲ୍ ସପକ୍ଷରେ ଭୋଟ ଦେଇଥିବା ରିପବ୍ଲିକାନଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଦିଅନ୍ତି, ତେବେ ଏହାର ଅତ୍ୟନ୍ତ ଗମ୍ଭୀର ପରିଣାମ ହେବ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏଲନ ମସ୍କଙ୍କ ସହ ତାଙ୍କର ସମ୍ପର୍କ ଏବେ ଶେଷ ହୋଇଯାଇଛି।
ଏନବିସି ନ୍ୟୁଜକୁ ଏକ ଫୋନ୍ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଯଦି ଏଲନ ମସ୍କ ବିଧେୟକର ବିରୋଧ କରନ୍ତି ଏବଂ ଡେମୋକ୍ରାଟିକ ଆଡେ ଢଳନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ। ତଥାପି ସେ ଏହା କହି ନଥିଲେ ଯେ ଏହାର ପରିଣାମ କ'ଣ ହୋଇପାରେ। ସେ କେବଳ କହିଥିଲେ, "ଯଦି ସେ ଏହା କରନ୍ତି, ତେବେ ତାଙ୍କୁ ବହୁତ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡିବ।" ମସ୍କଙ୍କ ସହ ତାଙ୍କ ସମ୍ପର୍କକୁ ଉନ୍ନତ କରିବାକୁ ସେ ଆଉ ଚାହୁଁ ନ ଥିବା ଟ୍ରମ୍ପ କହିଛନ୍ତି ।
ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଅନୁଭବ କରୁଛନ୍ତି କି ଟେସଲା ତଥାସ୍ପେସଏକ୍ସ ସିଇଓଙ୍କ ସହ ତାଙ୍କର ସମ୍ପର୍କ ଶେଷ ହୋଇଯାଇଛି, ଟ୍ରମ୍ପ କହିଥିଲେ, "ହଁ, ମୁଁ ଭାବୁଛି ସଂପର୍କ ଶେଷ ହୋଇଛି।" ଟ୍ରମ୍ପ କହିଛନ୍ତି, ତାଙ୍କର ମସ୍କଙ୍କ ସହ କଥା ହେବାର କୌଣସି ଯୋଜନା ନାହିଁ। ମୁଁ ଅନ୍ୟ କାମରେ ବହୁତ ବ୍ୟସ୍ତ । ମୋର ତାଙ୍କ ସହ କଥା ହେବାର କୌଣସି ଉଦ୍ଦେଶ୍ୟ ନାହିଁ ।